ମୁମ୍ବାଇ,୩୦ା୬(ପି.ଟି.): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ସର୍ବକାଳୀନ ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮ ପଇସା ହ୍ରାସ ଘଟି ସର୍ବନିମ୍ନ ୭୯.୦୩(ଅସ୍ଥାୟୀ) ସ୍ତରକୁ ଖସିଆସିଛି।
କ୍ରମାଗତ ବିଦେଶୀ ପୁଞ୍ଜି ବହିର୍ଗମନ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଦ୍ୱାରା ଟଙ୍କା ମୂଲ୍ୟ ପ୍ରଭାବିତ ହୋଇଛି। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ବୁଧବାର କାରବାର ଆରମ୍ଭରେ ଟଙ୍କାର ମୂଲ୍ୟ ୭୮.୮୬ ଥିଲା। କାରବାର ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ୭୯.୦୫ ଛୁଇଁଥିଲା। ଶେଷରେ ଏହା ୭୯.୦୩ରେ ସ୍ଥିର ହୋଇଥିଲା। ଟଙ୍କା ଏଭଳି ସର୍ବକାଳୀନ ଦୁର୍ବଳ ହେବା ଯୋଗୁ ଷ୍ଟକ୍ ବଜାର କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିଲା।