କାମ ଦେଲାନି ଚାଲ୍‌, ବନ୍ଧା ହେଲେ ରୂପେଶ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଘରେ ପଶି ମା-ଝିଅଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗୁରୁବାର ଗିରଫ ହୋଇଛନ୍ତି। ଲୁଟ୍‌ ପାଇଁ ରୂପେଶ ରଚିଥିବା ଚାଲ୍‌ କିଛି କାମ ଦେଲାନି। ଶେଷରେ ବନ୍ଧା ହେଲେ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ ଘରେ ରୂପେଶ ୧ ତାରିଖରେ ମହିଳାଙ୍କ ପୋଷାକ ପିନ୍ଧି କଲିଂ ବେଲ୍‌ ମାରିଥିଲେ। ପ୍ରଫେସରଙ୍କ ଝିଅ ଆସି କବାଟ ଖୋଲିବାରୁ ସେ ଅତର୍କିତ ଭାବେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଝିଅର ପାଟି ଶୁଣି ତାଙ୍କ ମା’ ଆସିଥିଲେ ମଧ୍ୟ ରୂପେଶ ତାଙ୍କୁ ବି ଆକ୍ରମଣ କରିଥିଲେ। ପାଟି ଶୁଣି ପାଖରେ ଥିବା କିଛି ଲୋକ ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏଥିରେ ରୂପେଶ ବି ଆହତ ହୋଇଥିଲେ।

ଚିକିତ୍ସା ପରେ ମା-ଝିଅ ଘରକୁ ଫେରିଥିବା ବେଳେ ରୂପେଶ ବୁଧବାର ଡିସ୍‌ଚାର୍ଜ ହୋଇଥିଲେ। ପରେ ପୋଲିସ ତାଙ୍କୁ ଗତକାଲିଠାରୁ ଅଟକାଇଥିବା ବେଳେ ଆଜି ରୂପେଶଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନାରୁ ଜଣାପଡ଼ିଛି।

Share