ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା ନେଇ ଅଭିଯୋଗ ହେବାପରେ ନାନା ଆଲୋଚନା ଜାରିରହିଛି। ଏହାମଧ୍ୟରେ ରବିବାର ଜାରକାସ୍ଥିତ ନିଜ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ମୃତିରେଖା। ସେ କହିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ପାଖ ଲୋକ ଥିବା ରୂପେଶ ତାଙ୍କ ଯୋଗାଯୋଗରେ ରହିଥିଲେ। ସେଥିଲାଗି ସ୍ମୃତିରେଖା ତାଙ୍କୁ ଫୋନ କରିବା ସହିତ ଭୁବନେଶ୍ୱରରେ ଭେଟି ଆଲୋଚନା କରିଥିଲେ। ରୂପେଶ ଅଭିଯୁକ୍ତ ହେଲେ ବି ତାଙ୍କର ଭୋଟ ଦେବାର ଅଧିକାର ରହିଛି ଏବଂ ସେ ୪ ପଞ୍ଚାୟତରେ ଭାଜପାକୁ ଜିତାଇବେ ବୋଲି ପହିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ନୁହେଁଯେ ସେ ରୂପେଶଙ୍କୁ ୫୦ଲକ୍ଷ ଟଙ୍କା ମାଗିଥିଲେ। ପହି ଗତ ମାର୍ଚ୍ଚରେ ରୂପେଶଙ୍କୁ ଭିଡିଓ କଲ କରିଥିଲେ। ଏହି ଫୋନ କଲର ଦେଢ଼ ବର୍ଷ ପରେ ରୂପେଶ କାହିଁକି ଏଭଳି ଅଭିଯୋଗ ଆଣିଲେ ଏବଂ ଏହା ପଛରେ କାହାର ହାତ ରହିଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ରୂପେଶ ଟଙ୍କା ମାଗିବାର ପ୍ରମାଣ ଦିଅନ୍ତୁ ବୋଲି ପହି କହିଥିଲେ। ଏଥିସହ ପହି ପୂର୍ବତନ ପିଇଓ ସ୍ମିତାରାଣୀଙ୍କ ସ୍ବାମୀ ଶୁଶୀଲ ବିଶ୍ୱାଳ ଓ ଭାଜପାର କିଛି କାର୍ଯ୍ୟକର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥିସହିତ ସ୍ମିତାରାଣୀଙ୍କ ଚାକିରି ଜୀବନରେ ବ୍ଲକରେ ରହିଯାଇଥିବା ବକେୟା ପାଉଣା ପାଇବା ଲାଗି ଅନୁରୋଧ କରିଥିଲେ ବୋଲି କହିଛନ୍ତି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭାଜପା ଓବିସି ସେଲ ସଂଯୋଜକ ରାକେଶ ନାୟକ, ଭାଜପା ଓବିସି ସେଲ ଜିଲା ସଭାପତି ମାନସ ରଞ୍ଜନ ନାୟକ, ଭାଜପା ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ହରିଦାସପୁର ପୂର୍ବତନ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ୨ ଦିନ ତଳେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ଭାଜପା ନେତ୍ରୀ ସ୍ମୃତିରେଖା ତାଙ୍କୁ ବିଭିନ୍ନ ସମୟରେ ଭଏସ କଲ ଏବଂ ଚାଟିଙ୍ଗ କରି ୫୦ ଲକ୍ଷ ଟଙ୍କା ମାଗୁଥିବା ନେଇ ଅଭିଯୋଗ କରିଥିଲେ।