ଛିଣ୍ଡିଯାଇଛି ଖାଦ୍ୟନଳୀ, ଯନ୍ତ୍ରଣାରେ ଛଟପଟ

ଖପ୍ରାଖୋଲ,୨୩ା୬(ଅଭୟ ତ୍ରିପାଠୀ): ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ବପ୍ନ। ପୁଅ ବଡ ହେବ, ଭଲ ମଣିଷ ହେବ ଆଉ ଗରିବ ପରିବାରର ଦୁଃଖ ଯିବ। ହେଲେ କିଏ ଜାଣିଥିଲା ସାଇକେଲ ଚଳାଉ ଚଳାଉ ପଡ଼ି ଯିବା ଏତେବଡ ଅଘଟଣାକୁ ଡାକି ଆଣିବ। ଖାଦ୍ୟନଳୀ ଛିଣ୍ଡି ଯିବା ପରେ ଏବେ ୯ବର୍ଷର ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗଁାରେ ଏହିଭଳି ଏକ ଘଟଣା ଘଟିଛି।
ମା’ବାପା, ସ୍ତ୍ରୀ ଅନିତା ବେହେରା(୩୦) ଓ ପୁଅ ଅନିକେଶ ଏବଂ ଝିଅ ରୋଶନି(୫)ଙ୍କୁ ନେଇ ଦୁର୍ଯ୍ୟୋଧନ ବେହେରା(୩୫)ଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା। ପର ଘରେ ମୂଲଲାଗି ସେ ପରିବାର ପ୍ରତିପୋଷଣ କରୁଥିଲେ। ଏହି ସୁଖର ସଂସାର ଉପରେ କାହାର ନଜର ଲାଗିଲା ଯେମିତି। ପୁଅ ଆନିକେଶ ଗତ ମେ ମାସ ୧୦ ତାରିଖରେ ଏକ ସାଇକେଲରେ ରାସ୍ତାରେ ଖେଳୁଥିବା ବେଳେ ପଡ଼ି ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ରାତିର ପୁଅର ପେଟ ଦରଜ ହେବା ସହ ବାନ୍ତି ହୋଇଥିଲା। ପରିବାର ଲୋକେ ଅନିକେଶଙ୍କୁ ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ ଡାକ୍ତରଖାନା ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବୁର୍ଲା ରେଫର୍‌ କରିଥିଲେ। ଧାରକରଜ କରି ଗତ ମେ ୧୨ରେ ବୁର୍ଲା ଡ଼ାକ୍ତରଖାନାରେ ଅନିକେଶଙ୍କୁ ଭର୍ତ୍ତି କରିଥିଲେ ଦୁର୍ଯ୍ୟୋଧନ। ପରୀକ୍ଷା ନିରୀକ୍ଷା ପରେ ପୁଅ ପେଟରେ ଖାଦ୍ୟନଳୀ ଛିଣ୍ଡି ଯାଇଥିବା କହିବା ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପରେ ଟିକିଏ ସୁସ୍ଥ ହେବାରୁ ପୁଅ ଘରକୁ ଆସିଲା। ହେଲେ କିଛିଦିନ ପରେ ପୁଣି ପେଟ ଦରଦ ହେବାସହ ସ୍ବାସ୍ଥ୍ୟ ବିଗିଡି ଗଲା। ଜୁନ ୧୪ ତାରିଖରେ ପୁଣି ଥରେ ପୁଅକୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଦୁର୍ଯ୍ୟୋଧନ। ସପ୍ତାହେ ଚିକତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ କଟକ ଶିଶୁ ଭବନକୁ ରେଫର କଲେ ଡାକ୍ତର। ଏଣୁ ବୁଧବାର ଘରକୁ ପୁଅକୁ ଫେରାଇ ଆଣିଛନ୍ତି ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନଙ୍କର ବିଜୁ ସ୍ବାସ୍ଥ୍ୟକାର୍ଡ (ବିଏସ୍‌କଓ୍ବୋଇ)ଅଛି। ହେଲେ କଟକ ନେବାକୁ ପାଖରେ ଅର୍ଥନାହିଁ। ଇତ୍ୟବସରରେ ଘରେ ବୃଦ୍ଧ ମା’ବାପାଙ୍କ ଦେଖାରଖା କରିବା ସମାସ୍ୟା ହୋଇଛି। ଏପରିସ୍ଥଳେ ପୁଅର ଚିକିତ୍ସା ପାଇଁ ସହଯୋଗ କରିବାକୁ ମା’ବାପା ଆକୁଳ ନିବେଦନ କରିଛନ୍ତି। ଏନେଇ ପାଟଣାଗଡ ଉପଜିଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରେଡକ୍ରସ ପାଣ୍ଠି କିମ୍ବା ସିଏମଆର୍‌ଏଫରୁ ଅର୍ଥ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।