ପଞ୍ଚାୟତକୁ ଆସୁନାହାନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ପଟ୍ଟାମୁଣ୍ଡାଇ,୫ା୯(କଳ୍ପତରୁ ନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ଏହାର ଉଦାହରଣ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖିବାକୁ ମିଳିଛି। ଏଠାରେ କୃଷି କାର୍ଯ୍ୟାଳୟ ତଥା କୃଷି ପରାମର୍ଶ କେନ୍ଦ୍ର ପକ୍ଷରୁ ପଞ୍ଚାୟତସ୍ତରରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ସୂଚନା ପ୍ରଦାନ ପାଇଁ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ)ଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ବହୁ ସମୟରେ ସେମାନଙ୍କ ଦେଖା ମିଳୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ସମ୍ବନ୍ଧୀୟ କୌଣସି ତଥ୍ୟ କିମ୍ବା ପରାମର୍ଶ ଜାଣିବାକୁ ଚାହିଁଲେ ସେମାନଙ୍କୁ ପାଇବା କଷ୍ଟକର ବ୍ୟାପାର ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ କୃଷି କାର୍ଯ୍ୟାଳୟ ଅଧୀନ ୩୧ ପଞ୍ଚାୟତ ପାଇଁ ମାତ୍ର ୫ଜଣ ଭିଏଡବ୍ଲ୍ୟୁ ଅଛନ୍ତି। ଜଣେ ଭିଏଡବ୍ଲ୍ୟୁଙ୍କ ଅଧୀନରେ ୬ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଦାୟିତ୍ୱ ରହିଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଫୋନ କଲେ ଉଠାଉନାହାନ୍ତି। ଯଦି କେହି ଫୋନ ଧରିଲେ ତାହା ହେଲେ ଫିଲ୍‌ଡରେ ଥିବା କହି କାଟି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ନିଜ ସମସ୍ୟାର ସମାଧାନ ପାଇଁ ଡହଳବିକଳ ହେଉଛନ୍ତି। ଏହି କାର୍ଯ୍ୟରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷକ ନେତା ବିଜୟ ଦାସ, ଚାଷୀ ସୁରେନ୍ଦ୍ର ପରିଡ଼ା, ରଞ୍ଜିତ ପ୍ରଧାନ, ସୁଶାନ୍ତ ସାମଲ, ଅଜୟ ନାୟକ, ବିଘ୍ନେଶ୍ୱର ପ୍ରଧାନ, ନରେନ୍ଦ୍ର ଧଳ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକଙ୍କୁ ପଚାରିବାରେ ଆବଶ୍ୟକ ମୁତାବକ କର୍ମଚାରୀଙ୍କ ଅଭାବ ତଥା ଜଣେ ଭିଏଡବ୍ଲ୍ୟୁଙ୍କ ଅଧୀନରେ ୬ରୁ ଅଧିକ ପଞ୍ଚାୟତ ରହୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।