ଉପକୂଳ ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ଉଜୁଡ଼ିଛି

ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଗଛକଟା ହେଉଛି। ଅପରପକ୍ଷରେ ନିକଟ ମହାନଦୀ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାର ବିଷାକ୍ତ ନିଆଁ, ଧୂଆଁ, ଧୂଳି ଆସ୍ତରଣ ବାୟୁମଣ୍ଡଳରେ ଭାସିବା ଫଳରେ ବାଡ଼ିବଗିଚା ଗଛପତ୍ର ତଥା ନଡ଼ିଆ, ଆମ୍ବ, ପଣସ, କାଜୁ ବାଦାମ ଗଛ ଓ ବିଭିନ୍ନ ପନିପରିବାରେ ଧୂଳି ଆସ୍ତରଣ ଜମି ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଛି। ଫଳରେ ଉପକୂଳ ଅଞ୍ଚଳ ପରିବେଶ ସନ୍ତୁଳନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବେଶପ୍ରେମୀ କହିଛନ୍ତି। ଏହା ଆଗାମୀଦିନରେ ପରିବେଶ ସୁରକ୍ଷା ସନ୍ତୁଳନ ହରାଇବା ସହ ଜନ ଜୀବନ ପ୍ରତି ଘୋର ସମସ୍ୟା ଦେଖାଦେବ ବୋଲି ସାମାଜିକ କର୍ମୀ ସଦାଶିବ ସ୍ବାଇଁ କହିଛନ୍ତି। ତେବେ ସେହିପରି ଉପକୂଳ ଅଞ୍ଚଳ ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଅବାଧରେ ଗଛକଟା ହେଉଛି। ଫଳରେ ଏହି ଅଞ୍ଚଳରେ ଅଦ୍ୟାବଧି ପ୍ରବଳ ଗୁଳୁଗୁଳି ସହ କାରଖାନାର ଧୂଳି, ଧୂଆଁ ଶରୀରରେ ବିଭିନ୍ନ ପ୍ରକାର ଚର୍ମ, ଶ୍ୱାସ, ଯକୃତ ସମସ୍ୟା ସୃଷ୍ଟି କରୁଛି। ଆଖିଧରା ରୋଗ ଅସମୟରେ ଦେଖିବାକୁ ମିଳୁଛି। ସେହିପରି ବ୍ଲକର ଉପକୂଳ ଅଞ୍ଚଳର ଜମ୍ବୁ, ବତିଘର, ରାମନଗର, ସୁନିତି ଆଦି ଅଞ୍ଚଳରେ ବହୁଳ ପରିମାଣରେ ବୃକ୍ଷ ଶୂନ୍ୟ ହେଉଥିବା ଅଭିଯୋଗ ହେଉଛି। ଆଗାମୀଦିନରେ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ବୃକ୍ଷରୋପଣ କରା ନ ଗଲେ, ଚାଲିଥିବା ଗଛକଟା ଯଦି ଲାଗି ରହେ କିଛିବର୍ଷ ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ବୃକ୍ଷ ଶୂନ୍ୟ ହୋଇଯିବ ବୋଲି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି। କେତେଜଣ ବ୍ୟବସାୟୀ ଏହି ଗଛ କାଟି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବୃକ୍ଷର ସୁରକ୍ଷା ପାଇଁ ବନ ବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀମାନେ ଅଧିକ ଧ୍ୟାନ ଦେବା ସହ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯିବା ପାଇଁ ସାମାଜିକ କର୍ମୀ ବାବାଜୀ ବେହେରା ଦାବି କରିଛନ୍ତି। ଏ ସମ୍ପର୍କରେ ଜମ୍ବୁ ରେଞ୍ଜ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।