କେସିଙ୍ଗା, ୯।୮(ତୁମେଶ୍ୱର ସାହୁ) ଜାଲ ସାର୍ଟିଫିକେଟ ମାମଲାରେ କେସିଙ୍ଗା ପୋଲିସ ଏସ.ଆଇ.ରମେଶ ଚନ୍ଦ୍ର ଦୋରା କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ବ୍ରାଞ୍ଚ ଅଧିନସ୍ଥ ବାଲସି ଗ୍ରାମ ପୋଷ୍ଟ ଅଫିସକୁ ଯାଇ ବୁଧବାର ତଦନ୍ତ କରିଥିଲେ। ବାଲସି ପୋଷ୍ଟ ଅଫିସରେ ରେଙ୍ଗାଲି ଗ୍ରାମର ଗ୍ରାମୀଣ ଡାକ ସେବକ ଉମା କାନ୍ତ ବିଶିଙ୍କୁ ଗତ ମେ ମାସ ୧୩ ତାରିଖରୁ ଜିଲା ସୁପରିଟେଣ୍ଡଡେଣ୍ଟଙ୍କ ଚିଠି ନ. ଏ.୫୭୧/୨୦୨୨/୧୦.୫.୨୩ ରେ ଦାୟିତ୍ୱ ଦିଆଯାଇଥିଲା। ଗତ କିଛି ମାସ ତଳେ ଜାଲ ସାର୍ଟିଫିକେଟ ନିଯୁକ୍ତି ମାମଲାରେ କଳାହାଣ୍ଡି ଜିଲା ଡାକ ବିଭାଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କର ମାଟ୍ରିକ ମାର୍କ ଜାଲିଆତି ଥିବା ଜଣା ପଡ଼ିଥିବା ବେଳେ କେସିଙ୍ଗା ଅଞ୍ଚଳରେ ମଧ୍ୟ ୨ ଜଣ ନକଲି ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ଜଣା ପଡ଼ିଛି। ଜଣେ ହେଲେ କଳାହାଣ୍ଡି ଜିଲା କେଗାଁ ଥାନା କୁକୁଟି ଗ୍ରାମର ଛନକ ବାଗ। ସେ ୨୦୨୨ ମସିହା ଅଗଷ୍ଟ ୮ ତାରିଖରେ ନିଯୁକ୍ତି ପାଇ କେସିଙ୍ଗା ବ୍ଲକ ବାଲସି ଗ୍ରାମରେ କାର୍ଯ୍ୟରତ ଥିଲେ। ଅନ୍ୟ ଜଣେ ହେଲେ ଗୋଲାମୁଣ୍ଡା ବ୍ଲକ ନୂଆଗାଁ ବଳଭଦ୍ର ପିଟା ଗ୍ରାମର ବିରଞ୍ଚି ବାଗ। ସେ ମଧ୍ୟ ୨୦୨୨ ମସିହାରୁ ଉତ୍କେଲା ପୋଷ୍ଟ ଅଫିସ ଅଧୀନରେ ଥିବା ଛେଲିଆମାଲ ଗ୍ରାମରେ ଡାକ ସେବକ ଭାବରେ ନିଯୁକ୍ତି ପାଇ କାର୍ଯ୍ୟରତ ଥିଲେ। ବାଲସି ପୋଷ୍ଟ ଅଫିସରେ ନିଯୁକ୍ତି ପାଇଥିବା ଛନକ ବାଗ ନାମରେ ଚଳିତ ମାସ ୬ ତାରିଖ ରେ କେସିଙ୍ଗା ଡାକ ବିଭାଗ ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ଇନ୍ଦୋରା କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ କେସିଙ୍ଗା ପୋଲିସ ଛନକା ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେହିପରି ଚଳିତ ମାସ ୭ ତାରିଖ ଦିନ ଛେଳିଆମାଲର ଡାକ ସେବକ ବିରଞ୍ଚି ବାଗଙ୍କ ନାମରେ ଭବାନୀପାଟଣା ସଦର ପୋଲିସ ଷ୍ଟେସନ ରେ ଶ୍ରୀ ସିଂ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ନକଲି ସାର୍ଟିଫିକେଟ ଓ ମାର୍କ ସିଟ କେଉଁଠାରୁ ଆଣିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ପୋଲିସ ତାହାର ତଦନ୍ତ କରୁଥିବା ଜଣାପଡିଛି।
Posted inଆମ ଜିଲା ଖବର, କଳାହାଣ୍ଡି