ଯାଜପୁର ଅଫିସ,୧୭ା୧: ଦୀର୍ଘ ସ୍ଥାୟୀ ସୁରକ୍ଷିତ ଜୀବିକା, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି, ମୁଣ୍ଡପିଛା ଆୟ ବୃଦ୍ଧି ଇତ୍ୟାଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମୂଳ ଲକ୍ଷ୍ୟ। ତାହା ପୂରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଆସୁଛି। କିନ୍ତୁ ଅଧିକାଂଶ ଯୋଜନା ଗ୍ରାମାଞ୍ଚଳରେ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକେ ସୁଫଳ ପାଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ସରକାରୀ ଅଧିକାରୀଙ୍କ ଅନାଗ୍ରହ, ଠିକାଦାରି ରାଜନୀତି, ନିଷ୍କ୍ରିୟ ଲୋକ ପ୍ରତିନିଧି ଏବଂ ଦୁର୍ନୀତି। ଏଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍ପିଏମ୍ଆର୍ଏମ୍)କୁ ଉଦାହରଣ ଭାବେ ନିଆଯାଇପାରେ। ୫ ବର୍ଷ ମଧ୍ୟରେ ରାଜ୍ୟର ୧୪ ଜିଲାର ୬୩ ପଞ୍ଚାୟତରେ ଏହି ଯୋଜନା ପାଇଁ ୩୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ସେଥିରୁ ୧୫୩ କୋଟି ଟଙ୍କା ମିଳିଥିବାବେଳେ ଖର୍ଚ୍ଚ ହୋଇଛି ୧୮.୪ କୋଟି ଟଙ୍କା। ଶତ ପ୍ରତିଶତ ଖର୍ଚ୍ଚ ହୋଇ ନ ଥିବା କାରଣରୁ ଅନୁମୋଦିତ ବଳକା ଟଙ୍କା ମିଳୁନାହିଁ। ଗତ ବିଧାନସଭାରେ ଏକ ପ୍ରଶ୍ନୋତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି। ଏଥିରୁ ରୁର୍ବାନ ମିଶନ ବାଟବଣା ହେବା ସହ ଗ୍ରାମାଞ୍ଚଳରେ କେତେ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଙ୍କ ଜୀବନ ଧାରଣ ମାନରେ ବୃଦ୍ଧି କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆବାସ ଯୋଜନା, ରାସ୍ତାଘାଟ ନିର୍ମାଣ, ଗାଁ ପୋଖରୀ ଖନନ, ସରକାରୀ ଗୃହ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଆଦି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ହାରାହାରି ଗ୍ରାମ ପିଛା ୫୦ ଲକ୍ଷରୁ ସର୍ବାଧିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ବ୍ୟୟ ହେଉଛି। ତେବେ ଏହିସବୁ ଯୋଜନାରେ ଯେଉଁ ପ୍ରକାର ଦୁର୍ନୀତି ହେଉଛି, ତାହା କାହାରି ପାଖରେ ଅଛପା ହୋଇ ରହିନାହିଁ। ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ, ସାମାଜିକ ବିକାଶ ଓ କୃଷି ଭିତ୍ତିକ ଉନ୍ନତି ସହିତ ସର୍ବାଙ୍ଗୀନ ଉନ୍ନତୀକରଣ ପାଇଁ ଏସ୍ପିଏମ୍ଆର୍ଏମ୍ରେ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାରେ କଟକ ଜିଲାର ତାଳବସ୍ତ ରୁର୍ବାନ କ୍ଲଷ୍ଟର ପାଇଁ ମଞ୍ଜୁର ୧୮ କୋଟି ଟଙ୍କାରୁ ୧୭.୯ କୋଟି ଟଙ୍କା, ଝାରସୁଗୁଡା ଜିଲାର ସାମସିଂଘା କ୍ଲଷ୍ଟରେ ମଞ୍ଜୁର ୧୮ କୋଟିରୁ ୧୫.୨୫ କୋଟି ଟଙ୍କା, ଖୋର୍ଦ୍ଧା ଜିଲାର ରାଣୀପଡ଼ା କ୍ଲଷ୍ଟରରେ ୧୮ କୋଟିରୁ ୧୪.୬ କୋଟି ଟଙ୍କା, କଳାହାଣ୍ଡି ଜିଲାର ଉତ୍କେଲା କ୍ଲଷ୍ଟରରେ ମଞ୍ଜୁର ୯ କୋଟିରୁ ୮.୬୫ କୋଟି, ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା କ୍ଲଷ୍ଟରରେ ୯ କୋଟିରୁ ୮.୯୨ କୋଟି, ବରଗଡ ଜିଲା ଦହିତା କ୍ଲଷ୍ଟରରେ ୧୮ କୋଟିରୁ ୧୦.୨ କୋଟି, ଗଞ୍ଜାମ ଜିଲାର କେଶପୁର କ୍ଲଷ୍ଟରରେ ୯ କୋଟିରୁ ୫.୮ କୋଟି, ବଲାଙ୍ଗୀର ଜିଲା ଶିବତଲା କ୍ଲଷ୍ଟରରେ ୪.୫ କୋଟିରୁ ୪.୫ କୋଟି, କନ୍ଧମାଳ ଜିଲାର କୋଟଗଡ଼ କ୍ଲଷ୍ଟରରେ ୯ କୋଟିରୁ ୬.୭୫ କୋଟି, ନବରଙ୍ଗପୁର ଜିଲାର ମୁରତମା କ୍ଲଷ୍ଟରରେ ୯ କୋଟିରୁ ୪.୫ କୋଟି, ବାଲେଶ୍ୱର ଜିଲା ରାଇବଣିଆ କ୍ଲଷ୍ଟରରେ ୧୩.୫ କୋଟିରୁ ୧୦.୨ କୋଟି, ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା କ୍ଲଷ୍ଟରରେ ୬.୭୫ କୋଟିରୁ ୪.୩୭ କୋଟି, ରାୟଗଡ଼ା ଜିଲା ପୁଟାସିଙ୍ଗ କ୍ଲଷ୍ଟରରେ ୬.୭୫ କୋଟିରୁ ୩.୫୧ କୋଟି ଏବଂ କୋରାପୁଟ ଜିଲା ମରିଚପାଳ କ୍ଲଷ୍ଟରରେ ମଞ୍ଜୁର ୪.୫ କୋଟିରୁ ୩.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପରେ ମଞ୍ଜୁର ଆବଶ୍ୟକ ଅର୍ଥ ଖର୍ଚ୍ଚ ହୋଇପାରି ନଥିବାରୁ ଅନୁମୋଦିତ ଅର୍ଥର ପ୍ରାୟ ୫୦ ପ୍ରତିଶତ ପରବର୍ତ୍ତୀ କିସ୍ତି ପ୍ରଦାନ ହୋଇ ନ ଥିବା ଜଣାପଡ଼ିଛି।
ଯାଜପୁର ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରାଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ଜିଲାରେ ରୁର୍ବାନ ମିଶନ କାର୍ଯ୍ୟକାରୀ ହୋଇନାହିଁ। ଆଦର୍ଶ ଗ୍ରାମ ଯୋଜନାରେ ବିକାଶ କାର୍ଯ୍ୟକ୍ରମ ଚାଲିଛି।
ରୁର୍ବାନ ମିଶନ କ’ଣ
ଭାରତ ଜନସଂଖ୍ୟାର ପ୍ରାୟ ୬୮% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ହେଲେ ଦେଶର ବିଭିନ୍ନ ଅଞ୍ଚଳରେ ଗାଁଗୁଡ଼ିକ ପ୍ରାୟତଃ ପାଖାପାଖି ରହିଛି ଏବଂ ସେହି ଗାଁଗୁଡ଼ିକର ବାସିନ୍ଦା ପରସ୍ପର ସହ ବିଭିନ୍ନ ଆବଶ୍ୟକତାକୁ ନେଇ ଯୋଡ଼ି ହୋଇରହୁଛନ୍ତି। ଗ୍ରାମାଞ୍ଚଳ ଜୀବନୀର ମୌଳିକତାକୁ ସଂରକ୍ଷଣ ରଖି ଗାଁଗୁଡ଼ିକରେ ସହରାଞ୍ଚଳ ଭଳି ସୁବିଧା ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୬ ଫେବୃୟାରୀରୁ ପ୍ରଣୀତ ହୋଇଛି ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ (ଏସ୍ପିଏମ୍ଆର୍ଏମ୍)। ଗାଁଗୁଡ଼ିକର ସମୂହ ତଥା କ୍ଲଷ୍ଟର ସୃଷ୍ଟି କରି ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ମୌଳିକ ସେବାରେ ଉନ୍ନତି ଆଣିବା ହେଉଛି ଏହି ମିଶନର ଲକ୍ଷ୍ୟ, ଯଦ୍ଦ୍ବାରା ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଏବଂ ବେକାରି ହ୍ରାସ ହୋଇପାରିବ। ଅନ୍ୟ ଅର୍ଥରେ କହିଲେ ‘ଆତ୍ମା ଗାଁର, ସୁବିଧା ସହରର’। ଏହି ଉଦ୍ଦେଶ୍ୟରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ରିର୍ବାନ ମିଶନ।