ଲଣ୍ଡନ, ୨୮/୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ୧୦ ଡାଉନିଂ ଷ୍ଟ୍ରିଟ୍ ସରକାରୀ ବାସଭବନରେ ରହିବେ ନାହିଁ। ଏହା ପରିବର୍ତ୍ତେ ସେ ତାଙ୍କ ପରିବାର ସହ ଏକ ଛୋଟ ଫ୍ଲାଟ୍କୁ ଫେରିବେ। ସେଠାରେ ରହିବାରେ ସୁନକ୍ ବହୁତ ଖୁସି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି। ୧୦ ଡାଉନିଂ ଷ୍ଟ୍ରିଟ୍ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବେ ୧୭୩୫ରୁ ବ୍ୟବହୃତ ହୋଇଆସୁଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ସହ ବିଭିନ୍ନ ଦେଶରୁ ଆସୁଥିବା ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ଆତିଥେୟତା ପ୍ରଦାନ କରିଥାନ୍ତି। ଅର୍ଥମନ୍ତ୍ରୀ ଥିବାବେଳେ ସୁନକ୍, ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଏବଂ ଦୁଇଝିଅ ଯେଉଁ ଫ୍ଲାଟ୍ରେ ରହୁଥିଲେ, ଏବେ ସେହିଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଋଷିଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏହି ଅବସରରେ ଦୁଇ ନେତା ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍ଟିଏ)ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସୁନକ ମଧ୍ୟ ଟୁଇଟ୍ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ଆର୍ଥତ୍କ ସହଯୋଗ ବଢ଼ିଲେ ବିରାଟ ସଫଳତା ମିଳିବ ବୋଲି ସୁନକ କହିଛନ୍ତି।