ଜନବସତିକୁ ସୁରକ୍ଷା ଦେବ ଋଷିକୂଲ୍ୟା ନଦୀବନ୍ଧ ପ୍ରକଳ୍ପ

ଗଞ୍ଜାମ,୧୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଋଷିକୁଲ୍ୟା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଦାମୋଦରପୁର ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଗ୍ରାମବାସୀ ଏନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କଠାରେ ବାରମ୍ବାର ଅବଗତ କରାଇଥିଲେ। ଫଳରେ ବିଧାୟକ ବେହେରା ବିଧାନସଭାରେ ପ୍ରଶ୍ନ ମଧ୍ୟ କରିଥିଲେ l ଏଥିପାଇଁ ରାଜ୍ୟ ସରକାର ଜଳସେଚନ ବିଭାଗ ପକ୍ଷରୁ ୧ କୋଟି ୭୭ ଲକ୍ଷ ଟଙ୍କା ଅର୍ଥ ବିନିଯୋଗରେ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ଏହାର ତଦାରଖ ପାଇଁ ବିଭାଗୀୟ ଅଧିକାରୀ ନିର୍ମାଣସ୍ଥଳ ଗସ୍ତ କରୁଛନ୍ତି। ପଥର ପ୍ୟାକିଂ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଅଞ୍ଚଳବାସୀଙ୍କୁ ନଦୀ ମଧ୍ୟକୁ ଯିବାଆସିବା ପାଇଁ ପାଉଛ ବ୍ୟବସ୍ଥା, ଜନବସତିରୁ ବର୍ଷାଜଳ ନିଷ୍କାସିତ ହେବା ନେଇ ଶଙ୍ଖର ବ୍ୟବସ୍ଥା, ନଦୀବନ୍ଧର ସୁଦୃଢ଼ ନେଇ ଗାର୍ଡଓ୍ବାଲ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ପ୍ରଭାବରେ ଋଷିକୁଲ୍ୟା ନଦୀରେ
ବର୍ତ୍ତମାନ ସୁଦ୍ଧା ବନ୍ୟାଜଳ ଆସି ନ ଥିବା ବେଳେ ପୂର୍ବ ବର୍ଷ ଗୁଡ଼ିକରେ ନଦୀରେ ବଡ଼ ବନ୍ୟା ସମୟରେ ବନ୍ୟାଜଳ ଜନ ବସତି ଆଡ଼କୁ ମାଡ଼ି ଆସିଥିବା ନଜିର ରହିଛି l ସମ୍ପ୍ରତି ଏହି କାର୍ଯ୍ୟକାରୀ ହେଉଥିବା ଯୋଗୁ ବନ୍ୟାଜଳ ପ୍ରଭାବକୁ ଜନବସତିକୁ ସୁରକ୍ଷା ଦେଇପାରିବ। ଏ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ତଦାରାଖ କରିବା ପାଇଁ ପରିଦର୍ଶନରେ ଆସି ପ୍ରକଳ୍ପ କାର୍ଯ୍ୟ ଶୈଳୀ ଦେଖି ଖୁସିବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଠିକ୍‌ ଚାଲିଛି। ବିଭିନ୍ନ ସମୟରେ ଅନୁଧ୍ୟାନ କରାଯାଉଥିବା ସେ ସୂଚନା ଦେଇଛନ୍ତି।