ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ ଆଗରେ ଋଷି

ଲଣ୍ଡନ, ୧୪ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍‌ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଦେଇଛନ୍ତି। ଋଷିଙ୍କ ସପକ୍ଷରେ ୮୮ ଭୋଟ ପଡ଼ିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଣିଜ୍ୟ ମନ୍ତ୍ରୀ ପେନି ମୋର୍ଡଣ୍ଟଙ୍କୁ ୬୭ ଓ ବହିର୍ବ୍ୟାପାର ମନ୍ତ୍ରୀ ଟ୍ରୁସ୍‌ ଲିଜ୍‌ଙ୍କୁ ୫୦ କଞ୍ଜରଭେଟିଭ୍‌ ଏମ୍‌ପି ସମର୍ଥନ କରିଛନ୍ତି।

ଅର୍ଥମନ୍ତ୍ରୀ ନଧିମ ଜଓ୍ବାହି ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଜେରେମି ହଣ୍ଟ୍‌ ୩୦ ଭୋଟ ଯୋଗାଡ଼ କରି ନ ପାରିବାରୁ ଦୌଡ଼ରୁ ବାଦ୍‌ ପଡ଼ିଯାଇଛନ୍ତି। ଗୁରୁବାର ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ଭାରତୀୟ ବଂଶୋଦ୍ଭବ ଆର୍ଟନି ଜେନେରାଲ ସୁଏଲା ବ୍ରେଭରମ୍ୟାନ୍‌ଙ୍କ ସହ ପୂର୍ବତନ ମନ୍ତ୍ରୀ କେମି ବେଡ୍‌ନୋକ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ପାର୍ଲାମେଣ୍ଟର ୩୫୮ କଞ୍ଜରଭେଟିଭ୍‌ ସଦସ୍ୟ ବାଲଟ୍‌ ପେପର ଜରିଆରେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ। ଜୁଲାଇ ୨୧ରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ସଂଖ୍ୟା ୨ରେ ସୀମିତ ହୋଇଯିବ। ସେପ୍ଟେମ୍ବର ୫ରେ ବ୍ରିଟେନ ନୂଆ ପ୍ରଧାନମନ୍ତ୍ରୀ ପାଇବ।

Share