ଋଷି ବନାମ ଲିଜ୍‌

ଲଣ୍ଡନ,୨୧ା୭: ବ୍ରିଟେନ ଇତିହାସରୁ ସବୁଠୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍‌ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୁଧବାର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟକୁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଉନ୍ନିୀତ ହୋଇଛନ୍ତି। ୪୨ ବର୍ଷୀୟ ଋଷିଙ୍କୁ କଞ୍ଜରଭେଟିଭ୍‌ ପାର୍ଟିର ୧୩୭ ଏମ୍‌ପି ସମର୍ଥନ କରିଥିବାବେଳେ ୪୬ ବର୍ଷୀୟା ଲିଜ୍‌ ୧୧୩ ସଦସ୍ୟଙ୍କ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦିନକ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ୪୯ ବର୍ଷୀୟା ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ସଚିବ ପେନି ମୋର୍ଡଣ୍ଟ ୧୦୫ ଭୋଟ ପାଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। ତେବେ ଟୋରି ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ କିଏ ହେବେ ସେହି ନିଷ୍ପତ୍ତି ସେପ୍ଟେମ୍ବର ୫ରେ ହେବ।
ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ବୋରିସ୍‌ ଜନ୍‌ସନଙ୍କୁ ବାଧ୍ୟ କରିଥିବା

ବ୍ରିଟିଶ୍‌-ଇଣ୍ଡିଆନ୍‌ ପୂର୍ବତନ ଚାନ୍‌ସେଲର ଋଷି ସୁନକ ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ ହାସଲ କରି ଦୌଡ଼ରେ ଆଗୁଆ ରହିଆସିଛନ୍ତି। ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟରେ ଋଷି ୧୧୮ ଭୋଟ ପାଇ ମ୍ୟାଜିକ୍‌ ନମ୍ବର ୧୨୦ର ନିକଟତର ହୋଇଥିବାବେଳେ ଗୁରୁବାର ତାଙ୍କୁ ଆଉ ୧୯ ଏମ୍‌ପିଙ୍କ ସମର୍ଥନ ମିଳିଛି। ସେହିପରି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ଙ୍କୁ ମଙ୍ଗଳବାର ୮୬ ଭୋଟ ମିଳିଥିବାବେଳେ ସେ ଆଉ ୨୭ ଏମ୍‌ପିଙ୍କ ସମର୍ଥନ ହାସଲ କରିବା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ୧୯୨୨ କମିଟି ଅଧ୍ୟକ୍ଷ ଗ୍ରାହାମ ବ୍ରାଡି ପ୍ରକାଶ କରିଛନ୍ତି। ଆସନ୍ତା ସୋମବାର ଋଷି ଓ ଲିଜ୍‌ ବିବିସିରେ ହେବାକୁ ଥିବା ସିଧା ପ୍ରସାରଣରେ ପରସ୍ପର ସହ ମୁହଁ।ମୁହିଁ ହେବେ।
ସୁନକଙ୍କ ପୂର୍ବପୁରୁଷ ପଞ୍ଜାବର ଗୁଜରନଓ୍ବାଲା (ଅଧୁନା ପାକିସ୍ତାନ) ନିବାସୀ ଥିଲେ। ହିନ୍ଦୁ-ମୁସଲିମ୍‌ ସମ୍ପର୍କରେ ତିକ୍ତତା ବଢ଼ିବାରୁ ତାଙ୍କ ଜେଜେବାପା ରାମଦାସ ସୁନକ ୧୯୩୫ରେ ନାଇରୋବି ଯାଇ କିରାଣି ଭାବେ କାର୍ଯ୍ୟ କରିଥିଲେ। ରାମଦାସଙ୍କ ସ୍ତ୍ରୀ ସୁହାଗରାଣୀ ସୁନକ ୧୯୩୭ରେ କେନିଆ ଯିବା ପୂର୍ବରୁ ଗୁଜରନଓ୍ବାଲାରୁ ନିଜ ଶାଶୁଙ୍କ ସହ ଦିଲ୍ଲୀ ଆସି ରହୁଥିଲେ।

୧୯୪୯ରେ ନାଇରୋବିରେ ଋଷିଙ୍କ ବାପା ଯଶବୀର ଜନ୍ମ ଗ୍ରହଣ କରିଥିଲେ। ସେ ପାଠ ପଢ଼ିବା ପାଇଁ ବ୍ରିଟେନ ଯାଇଥିଲେ। ୧୯୭୭ରେ ଯଶବୀର ଲିସେଷ୍ଟରରେ ଊଷାଙ୍କୁ ବିବାହ କରିଥିଲେ। ୧୯୮୦ ମେ’ ୧୨ରେ ଜନ୍ମିତ ଋଷି ୨୦୦୯ରେ ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର. ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ। ୨୦୧୯ରେ ଋଷି ଥେରେସା ମେ’ଙ୍କ କ୍ୟାବିନେଟରେ ସ୍ଥାନ ପାଇବା ପରେ ୨୦୨୦ ଫେବୃୟାରୀରେ ବୋରିସ୍‌ ଜନ୍‌ସନ ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ।

Share