ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର ଉଚ୍ଚରେ ଥିବା ଏହି ମନ୍ଦିରଟି ନର-ନାରାୟଣ ପର୍ବତମାଳାରେ ପଙ୍କଜା ଏବଂ ମଧୁମତୀ ନଦୀତଟର ମଧ୍ୟବର୍ତ୍ତୀ ମଣିକୁଟ, ବ୍ରହ୍ମକୁଟ ଓ ବିଷ୍ଣୁକୁଟ ଉପତ୍ୟକାର ମିଳନସ୍ଥଳରେ ଅବସ୍ଥିତ।
ମନ୍ଦିରକୁ ନେଇ କିମ୍ବଦନ୍ତୀ
ଶ୍ରୁତି ସ୍ମୃତି ପୁରାଣରେ ବର୍ଣ୍ଣିତ ଅଛି ଯେ, ସତ୍ୟଯୁଗରେ ଅମୃତ ଫଳ ଆଶା ନେଇ ଦେବଗଣ ଓ ଦାନବଗଣ ମିଶି ଯେଉଁ ସମୁଦ୍ରମନ୍ଥନ କରିଥିଲେ; ସେଥିରୁ ହଳାହଳ ବିଷ ବି ବାହାରିଥିଲା। ସମଗ୍ର ବିଶ୍ୱକୁ ନଷ୍ଟ କରିଦେବାର କ୍ଷମତା ରଖିଥିବା ଏହି ବିଷ କୋପରୁ ରକ୍ଷା ପାଇବାକୁ ସମସ୍ତେ ଦେବ ଦେବ ମହାଦେବଙ୍କୁ ଗୁହାରି କରିବାରୁ, ଶେଷରେ ପ୍ରଭୁ ଶିବଶଙ୍କର ଉକ୍ତ ବିଷକୁ ନିଜେ ପାନ କରି ଦେଇଥିଲେ। ସେହି କ୍ଷଣି ମାତା ପାର୍ବତୀ ଆସି ପ୍ରଭୁଙ୍କର ବେକ ପାଖରେ ହାତ ରଖିଦେବାରୁ ବିଷ ପ୍ରଭୁଙ୍କର ଗର୍ଭକୁ ନ ଯାଇ କଣ୍ଠ ଦେଶରେ ଅଟକି ଯାଇଥିଲା। ଫଳରେ ତାଙ୍କ କଣ୍ଠଦେଶ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଧାରଣ କରିଗଲା। ତା’ପରେ ପ୍ରଭୁ ମହାଦେବ ବିଷ ଜ୍ୱାଳାରୁ ଉପଶମ ନିମନ୍ତେ ଏହିଠାରେ ଆସି ବିଶ୍ରାମ ନେଇଥିଲେ। ସେଥିପାଇଁ ପରବର୍ତ୍ତୀ ସମୟରେ ତାହାର ସ୍ମୃତି ସ୍ବରୂପ ଏଠାରେ ଗଢ଼ି ଉଠିଥିଲା ନୀଳକଣ୍ଠ ମହାଦେବ ମନ୍ଦିର। ସମୟକ୍ରମେ ଏହି ମନ୍ଦିରରେ ଅନେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ମୂଳ ଶିବଲିଙ୍ଗଟି ସେହିଭଳି ଅକ୍ଷୁଣ୍ଣ ରହିଥିବା ବିଶ୍ୱାସ ରହିଛି।
ମନ୍ଦିରର ନିର୍ମାଣ ଶୈଳୀ
ପାହାଡ଼ର ଶୀର୍ଷ ଦେଶରେ ପୁରାତନ ଦ୍ରାବିଡ଼ ଶୈଳୀରେ ନିର୍ମିତ ସୁଉଚ୍ଚ ଖୁମ୍ବ ଓ ଗମ୍ବୁଜ ଯୁକ୍ତ ପିରାମିଡ୍ ଆକୃତିର ବିଶାଳ ମନ୍ଦିରର ଗର୍ଭ ଗୃହରେ ଶୋଭା ପାଉଥିବା ଶିବଲିଙ୍ଗକୁ ଦର୍ଶନ କଲେ ମନରେ ସ୍ବତଃ ଭକ୍ତିଭାବ ଉଦ୍ରେକ ହୁଏ। ମନ୍ଦିର ଗାତ୍ରରେ ଦେବାସୁରମାନଙ୍କ ସମୁଦ୍ରମନ୍ଥନ ସମୟର ମୂର୍ତ୍ତି ଖୋଦିତ ହୋଇଛି। ମନ୍ଦିର ବେଢ଼ାରେ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିମାନ ପରବର୍ତ୍ତୀ ସମୟରେ ତିଆରି ହୋଇଛି। ଏଠାରେ ଭକ୍ତମାନେ ବିଭିନ୍ନ ଭୋଗରାଗ ସହ ନୀଳକଣ୍ଠ ମହାଦେବଙ୍କୁ ଚନ୍ଦନ ଓ କର୍ପୂର ଲାଗି କରି ଶୀତଳତା ପ୍ରଦାନ କରିଥାନ୍ତି।
ମୁଖ୍ୟ ପର୍ବପର୍ବାଣି
ନୀଳକଣ୍ଠ ମହାଦେବଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାକୁ ଦୂରଦୂରାନ୍ତରୁ ଭକ୍ତଗଣଙ୍କର ସୁଅ ଛୁଟିଥାଏ। ଠାକୁରଙ୍କ ମୁଖ୍ୟ ପର୍ବ ହେଉଛି ଶିବରାତ୍ରି। ଶ୍ରାବଣ ମାସରେ ମଧ୍ୟ ଠାକୁରଙ୍କୁ ଜଳଲାଗି କରିବା ପାଇଁ ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି। ଏଇ ଦୁଇଟି ସମୟରେ ଏଠାରେ ମେଳା ବସେ ଏବଂ ପ୍ରବଳ ଜନସମାଗମ ହେଇଥାଏ।
କେମିତି ଯିବେ
ନୀଳକଣ୍ଠ ମହାଦେବ ମନ୍ଦିରକୁ ଯିବାକୁ ହେଲେ ଋଷିକେଶରୁ ରାମ ଝୁଲା ପୋଲ ଦେଇ ଦୁଇଚକିଆ କିମ୍ବା ଚାରିଚକିଆ ଯାନରେ ପାହାଡ଼ର ପାଦଦେଶରେ ପହଞ୍ଚି ସେଠାରୁ ପାଦଚଲା ରାସ୍ତାରେ ଯିବାକୁ ହୁଏ। ଅଙ୍କାବଙ୍କା ସଂକୀର୍ଣ୍ଣ ପାହାଡ଼ି ରାସ୍ତାର ଦୁଇ ପଟରେ ପ୍ରକୃତିର ଅପରୂପ ଶୋଭା ଦର୍ଶନ କରି ପର୍ଯ୍ୟଟକ ମୁଗ୍ଧ ହୋଇଥାନ୍ତି। ପାହାଡ଼ ଉପରେ ଘଞ୍ଚ ଜଙ୍ଗଲ, ତହିଁରୁ ଝରିଆସୁଥିବା ଝରଣା, ସ୍ଥାନେ ସ୍ଥାନେ ପାହାଡ଼କୁ ସମତଳ କରି ସ୍ଥାନୀୟ ଅଧିବାସୀମାନେ କରିଥିବା ସବୁଜ କ୍ଷେତର ଶୋଭା ଅତି ରମଣୀୟ ଲାଗେ ଦେଖିବାକୁ। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଖୁବ୍ କଡାକଡି। ପାହାଡ଼ର ପାଦଦେଶରେ ଥିବା ଚେକ୍ ଗେଟ୍ରେ ପରିଚୟ ପତ୍ର ଯାଞ୍ଚ କରାଯାଇ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଥାଏ ପାଦଚଲା ରାସ୍ତାରେ ଯିବା ପାଇଁ। ପ୍ରାୟ ୮/୧୦ କି.ମି. ଯିବା ପରେ ମନ୍ଦିର ପାହାଚରେ ଚଢିବା ପୂର୍ବରୁ ମଧ୍ୟ ପୁନଃ ପରିଚୟ ପତ୍ର ଯାଞ୍ଚ କରାଯାଇ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଥାଏ। ପ୍ରଥମେ କାଳିକାମାତାଙ୍କ ଦରବାର ଦେଇ ପୁଣି ଆହୁରି ପାହାଚ ଚଢି ମନ୍ଦିରର ଗର୍ଭଗୃହକୁ ଯିବାକୁ ହୁଏ। ନିର୍ଦ୍ଦିଷ୍ଟ ଦୂରତାରେ ବାରିକେଡ୍ ଦେଇ ଆବଦ୍ଧ କରାଯାଇଛି ମୂଳ ଶିବଲିଙ୍ଗଙ୍କୁ। ଦୂରରୁ ଦର୍ଶନ କରି ପୂଜାସାମଗ୍ରୀ (ନଡ଼ିଆ, କ୍ଷୀର, ବେଲପତ୍ର, ଚନ୍ଦନ, କର୍ପୂର ଇତ୍ୟାଦି) ବଢେଇ ଦେବାକୁ ହୁଏ ସେଠାରେ ଉପସ୍ଥିତ ଥିବା ପୂଜାରୀମାନଙ୍କୁ। ବାରିକେଡ୍ର ଜଳା ଫାଙ୍କରେ ଖୁବ୍ ସୁନ୍ଦର ଦର୍ଶନ ହୋଇଥାଏ ପ୍ରଭୁଙ୍କର। ଭକ୍ତମାନଙ୍କ ଯାତ୍ରା କଷ୍ଟ ନିମିଷକ ମଧ୍ୟରେ ଦୂର ହୋଇଯାଇଥାଏ। ସଡ଼କପଥରେ ନୀଳକଣ୍ଠ ମହାଦେବ ମନ୍ଦିରରେ ପହଞ୍ଚିବା ପାଇଁ ହେଲେ ରାଜ୍ୟ ପରିବହନ ନିଗମର ବସ୍ରେ ଋଷିକେଶ ପହଞ୍ଚି ସେଠାରୁ ରାମଝୁଲା ଦେଇ ଭଡ଼ା ଗାଡ଼ି ଧରି ଯିବାକୁ ହୁଏ। ସେହିପରି ଋଷିକେଶ ହେଉଛି ଏହାର ନିକଟତମ ରେଳଷ୍ଟେସନ, ଯାହା ଉକ୍ତ ମନ୍ଦିରଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ। ଅନ୍ୟପକ୍ଷେ ଏହାର ନିକଟତମ ଏୟାରପୋର୍ଟ ହେଉଛି ଡେରାଡୁନର ଜୋଲିଗ୍ରାଣ୍ଟ୍ ଏୟାରପୋର୍ଟ; ଯାହା ମନ୍ଦିରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ।
-ସୁଷମା ପରିଜା
ଶାରଳା ଭବନ, ପୋତାପୋଖରୀ,
ନୂଆବଜାର, କଟକ
ମୋ: ୯୩୩୭୨୭୨୬୪୭