ଧରାକୋଟ,୧ା୪ (ବିଷ୍ଣୁକେଶରୀ ଆଚାର୍ଯ୍ୟ): ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ଭାବେ ପରିଚିତ। ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଏହି ନଦୀ ଯେତିକି ଜଡ଼ିତ, ପିଇବା ପାଣି ସହ ଜିଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ। କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ବାହାରି ଏହା ଗଞ୍ଜାମ ଜିଲାରେ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ମିଶିଛି। ଏହା ଉପରେ ଧରାକୋଟ ନିକଟସ୍ଥ ଜାନବିଲିଠାରେ ବ୍ରିଟିଶମାନଙ୍କ ଅମଳରୁ ୧୮୯୧ ମସିହାରେ ନିର୍ମାଣ କରାଯାଇଥିବା ଆନ୍ନିକଟ ଦ୍ୱାରା ଜିଲାର ଶତାଧିକ ହେକ୍ଟର ଜମିରେ ଜଳସେଚନ ହେଉଥିବା ବେଳେ ବ୍ରହ୍ମପୁର ସହର ସମେତ ସଂଖ୍ୟାଧିକ ଗ୍ରାମର ଲୋକେ ଏହି ନଦୀ ଉପରେ ପିଇବା ପାଣି ପାଇଁ ନିର୍ଭର କରନ୍ତି। ଏପରିକି କେତେକ ଶିଳ୍ପ ସଂସ୍ଥା ମଧ୍ୟ ଏହି ନଦୀର ପାଣି ବ୍ୟବହାର କରୁଛନ୍ତି। ଚିରସ୍ରୋତା ରୁଷିକୂଲ୍ୟା ନଦୀ ଏବେ ଶୁଖିଲା ପଡ଼ିଛି। ଅଭାବୀ ବର୍ଷା ସାଙ୍ଗକୁ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଜଳସ୍ତର ନିମ୍ନଗାମୀ ହେଉଛି। ବିଭିନ୍ନ ଧାର୍ମିକ କାର୍ଯ୍ୟ ଓ ପରମ୍ପରା ସହ ମଧ୍ୟ ଏହି ନଦୀ ଜଡ଼ିତ। ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ବାରୁଣୀ ସ୍ନାନ, ସକ୍ରାନ୍ତି ସ୍ନାନ ପାଇଁ ଏହି ନଦୀର ଜଳ ବ୍ୟବହାର ହୁଏ। ଆସନ୍ତା ୬ ତାରିଖ ଶନିବାର ପବିତ୍ର ବାରୁଣୀ ସ୍ନାନ। ଏହି ନଦୀ ତଟରେ ଥିବା ଆସିକା, ପୁରୁଷୋତ୍ତମପୁର ଓ ପ୍ରତାପୁରରେ ଥିବା ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ବାରୁଣୀ ସ୍ନାନ କରିଥାନ୍ତି। କିନ୍ତୁ ପାଣି ନଥିବା ଯୋଗୁଁ ଚଳିତ ବର୍ଷ ସ୍ନାନ ବାଧାପ୍ରାପ୍ତ ହେବା ନିଶ୍ଚିତ। ନଦୀ ଶୁଖିଲା ପଡ଼ିଥିବା ଯୋଗୁ ନଈକୂଳିଆ ଗାଁଗୁଡ଼ିକର ପିଇବା ପାଣି ସମସ୍ୟା ଦିନକୁ ଦିନ ବଢୁଥିବା ଦେଖାଯାଉଛି। ନଦୀରେ ମାତ୍ର ଗୋଟିଏ ଧାର ପାଣି ଯାଉଥିବା ଯୋଗୁଁ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ଇନ୍ଟେକ ଓ୍ବେଲରେ ପର୍ଯ୍ୟାପ୍ତ ପାଣି ଗଛିତ ହୋଇପାରୁନାହିଁ। ଅନ୍ୟପଟରେ ଗାଁ ଗାଁରେ କୂଅ, ପୋଖରୀ ଶୁଖିଲା ପଡ଼ିଛି। ଆସନ୍ତା ଦୁଇମାସ ଖରାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଲାଣି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୋରଡ଼ା ନିକଟସ୍ଥ ପିପଳପଙ୍କା, ଧରାକୋଟ ନିକଟସ୍ଥ ଜାନବିଲି ଓ ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡଠାରେ ନୂତନ ବ୍ୟାରେଜ ନିର୍ମାଣ କରାଯାଇ ଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ଋଷିକୁଲ୍ୟା ନଦୀର ଜଳକୁ ନିୟନ୍ତ୍ରଣରେ ରଖାଯାଇ ପିଇବା ପାଣି, ଜଳସେଚନ ଓ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଏଣୁ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।