Categories: ଖେଳ

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନ୍‌ଙ୍କୁ ୧.୫ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ଏହି ସିଜନରେ ହାମିଲଟନ୍‌ଙ୍କ ନୈରାଶ୍ୟଜନ ପ୍ରଦର୍ଶନ ପରେ ମର୍ସିଡିଜ୍‌ର ମଧ୍ୟ ଏହା ପ୍ରଥମ ଗ୍ରାଁ ପ୍ରି ବିଜୟ। ଫେରାରିର କାର୍ଲୋସ ସେଞ୍ଜ୍‌ ଜୁନିୟର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଓ ପାଓଲୋଠାରେ ୨୪ ବର୍ଷୀୟ ରସେଲ ରେସ୍‌ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରବିବାର ବିଜୟ ପୂର୍ବରୁ ଏହା ଥିଲା ତାଙ୍କର ୭ମ ପୋଡିୟମ ଫିନିଶ। ଏହା ତାଙ୍କର ଆରମ୍ଭ ମାତ୍ର ବୋଲି ସେ କହିଛନ୍ତି। ୭ମ ଲାପ୍‌ରେ ଦ୍ୱିତୀୟ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ହାମିଲଟନଙ୍କ କାର୍‌ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ ସଂସ୍ପର୍ଶରେ ଆସିବାରୁ ୮ମ ସ୍ଥାନକୁ ଖସିଆସିଥିଲେ। କିନ୍ତୁ ଡଚ୍‌ ଡ୍ରାଇଭର ଭର୍ଷ୍ଟାପେନ୍‌ଙ୍କୁ ଏଥିପାଇଁ ୫ ସେକେଣ୍ଡ ପେନାଲ୍ଟି ହୋଇଥିଲା, ଯାହାଫଳରେ ସେ ରେସ୍‌ରେ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ।

Share