ୟୁକ୍ରେନ୍ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି
- ମସ୍କୋ, ୨୯ା୫: ୟୁକ୍ରେନ୍ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍ କରିଥିବାରୁ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ପୁଟିନ୍ ରାଜି ଥିବା କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି। ଏଥିସହ ରୁଷିଆରୁ ସାର ଏବଂ କୃଷିଜାତ ସାମଗ୍ରୀ ରପ୍ତାନି ମଧ୍ୟ ବିଶ୍ୱ ଖାଦ୍ୟସଙ୍କଟକୁ ଦୂର କରିବାରେ ସହାୟକ ହେବ ବୋଲି ମସ୍କୋ କହିଛି। ତେବେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରୁଷିଆ ଏହି ଦୁଇ ୟୁରୋପୀୟ ଦେଶକୁ ଚେତାବନୀ ଦେଇଛି। ଏହା ଆଗକୁ ଆହୁରି ଅସ୍ଥିରତାକୁ ଡାକିଆଣିପାରେ ବୋଲି କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି। ରୁଷିଆ ବନ୍ଦୀ ରଖିଥିବା ଆଜଭଷ୍ଟିଲ୍ର ପ୍ରାୟ ୨,୫୦୦ ସୈନ୍ୟଙ୍କୁ ମୁକୁଳାଇବା ପାଇଁ ସ୍କୋଲଜ୍ ଏବଂ ମାକ୍ରଁ ପୁଟିନଙ୍କୁ ନିବେଦନ କରିବା ସହ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।