‘ରୁଷିଆର ଏବେ କେବଳ ୪ ବନ୍ଧୁ ଅଛନ୍ତି’

କ୍ୱିଭ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆ ଦିନକୁ ଦିନ ଆକ୍ରୋଶମୂଳକ ହୋଇପଡ଼ିଛି। ଏସବୁ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷିଆକୁପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରୁଷିଆର ଏବେ କେବଳ ଚାରିଜଣ ବନ୍ଧୁ ଅଛନ୍ତି। ଏଥି ମଧ୍ୟରେ ଉତ୍ତର କୋରିଆ, ଇରିଟ୍ରିଆ, ସିରିଆ ଏବଂ ବେଲାରୁଷ ସାମିଲ ଅଛି। ଏହି ଚାରି ଦେଶ ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷିଆ ବିରୋଧ ସଂକଳ୍ପରେ ରୁଷିଆ ସପକ୍ଷରେ ଭୋଟ ଦେଇଛନ୍ତି। ଏହି ସଂକଳ୍ପରେ ରୁଷିଆର ସୈନ୍ୟବାହିନୀକୁ ୟୁକ୍ରେନରୁ ପ୍ରତ୍ୟାହାର କରିବାକୁ କୁହାଯାଇଛି।
ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ନଇଁବା ପରି ଜଣାପଡୁନାହାନ୍ତି। ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତ,ସମସ୍ତ ଅନୁପ୍ରବେଶକାରୀ ବୁଝିବା ଉଚିତ ଯେ ସେମାନେ ଏଠାରେ କିଛି ପାଇବେ ନାହିଁ। ରୁଷିଆ ଯେତେ ସୈନିକ ରଖିଲେ ମଧ୍ୟ ଆମେ ନତମସ୍ତକ ହେବାକୁ ଯାଉନାହୁଁ। ଆମର ଶତ୍ରୁ ପରାସ୍ତ ହୋଇ ଏଠାରୁ ଯିବେ।
ମିଳିତ ଜାତିସଂଘର ସାଧାରଣ ସଭାରେ ଆଣିଥିବା ସଂକଳ୍ପକୁ ଜେଲେନସ୍କି ସ୍ବାଗତ କରିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ସଂକଳ୍ପ ଉପରେ ଭୋଟ ଦେବା ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏକ ଟୁଇଟ୍‌ରେ କହିଛନ୍ତି, ରୁଷିଆ ଫେଡେରେଶନର ଏହି ବିଶ୍ୱାସଘାତକ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭାକୁ ଆଣିଥିବା ସଂକଳ୍ପକୁ ମୁଁ ସ୍ବାଗତ କରୁଛି। ସଂକଳ୍ପ ସପକ୍ଷରେ ଭୋଟ ଦେଇଥିବା ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

Share