ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଚତୁର୍ଥ ଦିନ: ଖାର୍କିଭ ଗ୍ୟାସ ପାଇପ ଲାଇନକୁ ଉଡାଇଲେ ରୁଷିଆ ସେନା

ମସ୍କୋ,୨୭ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିନରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବେଳକୁ ବେଳ ୟୁକ୍ରେନର ସ୍ଥିତି ବିଗିଡିବାରେ ଲାଗିଛି । ଏପଟେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କ୍ୱିଭ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଏବେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ତୀବ୍ର ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଅତିକମରେ ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି । ସୂଚନା ମୁତାବକ, ପୂର୍ବ ୟୁକ୍ରେନର ଡୋନେତ୍ସକ ଅଞ୍ଚଳରେ ୪୦ରୁ ଅଧିକ ୟୁକ୍ରେନ ସେନା ଆତ୍ମସମର୍ପଣ କରିଛନ୍ତି । ଏମାନେ ରୁଷିଆ ସମର୍ଥିତ ବିଦ୍ରୋହୀ ନେତାଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିବା କୁହାଯାଉଛି ।
ପିଟିଆଇର ସୂଚନା ଅନୁଯାୟୀ, ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ସବୁଠାରୁ ବଡ ସହର ଖାର୍କିଭରେ ଥିବା ଗ୍ୟାସ ପାଇପ ଲାଇନକୁ ଉଡାଇ ଦେଇଛନ୍ତି । ରୁଷିଆ ସେନା ଦ୍ୱାରା ଗୋଟିଏ ପରେ ଗୋଟିଏ ଆକ୍ରମଣ ଏବେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇ ଚାଲିଛି । ଶକ୍ତିଶାଳୀ ଦେଶ ରୁଷିଆ ସହ ଏକାକି ଲଢି ଚାଲିଥିବା ୟୁକ୍ରେନ୍ ଏବେବି ଦୃଢତାର ସହ ବିଜୟୀ ହେବାର ଆଶା ବାନ୍ଧିଥିବା କୁହାଯାଉଛି ।

Share