ବଢୁଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

ମସ୍କୋ/ୱାଶିଂଟନ,୨୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ଏଥିରେ ହଜାର ହଜାର ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହେବା ସହ ବଡ ବଡ ସହର ସବୁ ଧ୍ୱଂସ ପାଇ ଗଲାଣି । ରୁଷିଆର ଏହି ଆକ୍ରମଣକୁ ଆମେରିକା ବାରମ୍ବାର ନିନ୍ଦା କରି ଚାଲିଛି । ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ରୁଷିଆ ଖୁବ୍ ରାଗି ଯାଇଛି । କିଛିଦିନ ତଳେ ବାଇଡେନ ରୁଷିଆ ରାଷ୍ଟ୍ରପତିଙ୍କୁ ‘ୱାର କ୍ରିମିନାଲ’ ବୋଲି କହିଥିଲେ । ଯାହାକୁ ନେଇ ରୁଷିଆ ରାଗିଯିବା ସହ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା । ଏବେ ବାଇଡେନ କହିଛନ୍ତି, ୟୁକ୍ରେନ୍ ଉପରେ ରୁଷିଆ ଯେଉଁ ଆକ୍ରମଣ କରୁଛି ତାହାର ପରିଣାମ ତାକୁ ଭୋଗିବାକୁ ପଡିବ । ଏହାକୁ ନେଇ ରୁଷିଆ ପ୍ରତିକ୍ରିୟା ରଖିଛି । ରୁଷିଆ ସୋମବାର ଆମେରିକା ରାଷ୍ଟ୍ରଦୂତଙ୍କ ଜରିଆରେ ବାଇଡେନଙ୍କୁ ବିରୋଧ କରିଛି । ରୁଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି, ବାଇଡେନଙ୍କ ଏଭଳି ମନ୍ତବ୍ୟ ରୁଷିଆ-ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି କରୁଛି । ରୁଷିଆ କହିଛି ଆମେରିକା ରୁଷିଆ ବିରୋଧରେ କରୁଥିବା ଶତ୍ରୁତାପୂର୍ଣ୍ଣ କାର୍ଯ୍ୟର ନିର୍ଣ୍ଣାୟକ ପ୍ରତିକ୍ରିୟା ମିଳିବ । ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ । ଯଦି ଏହାର କୌଣସି ସମାଧାନ ନ ବାହାରିଲା ତେବେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

Share