ସିଙ୍ଗଲ୍‌ ଡୋଜ ଟିକାକୁ ମିଳିଲା ଅନୁମତି

ମସ୍କୋ, ୬ା୫ : ରୁଷିଆର ସ୍ବାସ୍ଥ୍ୟ ଅଧିକାରୀ ସ୍ପୁଟନିକ-ଭି କରୋନା ଭାଇରସ ଟିକାର ସିଙ୍ଗଲ୍‌ ଡୋଜ ଭର୍ସନକୁ ଗୁରୁବାର ଅନୁମତି ଦେଇଛନ୍ତି। ଟିକା ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା ରୁଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ପକ୍ଷରୁ କୁହାଯାଇଛି, ସ୍ପୁଟନିକ ଲାଇଟ୍‌ କୋଭିଡ୍‌-୧୯ ମହାମାରୀ ବିରୋଧରେ ୭୯.୪ ପ୍ରତିଶତ ଫଳପ୍ରଦ। ତେବେ ଏହା ତୁଳନାରେ ବେଶ୍‌ ଫଳପ୍ରଦ ଡବଲ ଶଟ୍‌ ସ୍ପୁଟନିକ ଭି। ଏହି ଟିକା ୯୧.୬ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି।

ଗତବର୍ଷ ଡିସେମ୍ବର ୫ରୁ ଏପ୍ରିଲ ୧୫ ତାରିଖ ମଧ୍ୟରେ ରୁଷିଆର ଟିକାକରଣ କରାଯାଇଥିଲା। ଲୋକଙ୍କୁ ଟିକା ଦିଆଯିବାର ୨୮ ଦିନ ପରେ ଫଳାଫଳକୁ ନେଇ ପ୍ରକାଶ କରାଯାଇଛି ଏହାର ତଥ୍ୟ। ରୁଷିଆରେ ପ୍ରସ୍ତୁତ ଟିକାକୁ ୬୦ ଦେଶରେ ବ୍ୟବହାର ପାଇଁ ଅନୁମତି ମିଳିସାରିଲାଣି। କିନ୍ତୁ ଏହାକୁ ୟୁରୋପିଆନ ମେଡିସିନ୍ସ ଏଜେନ୍ସି (ଇଏମ୍‌ଏ) କିମ୍ବା ଆମେରିକାର ଫୁଡ୍‌ ଓ ଡ୍ରଗ ଆଡ୍‌ମିନିଷ୍ଟ୍ରେଶନ (ଏଫ୍‌ଡିଏ) ଠାରୁ ମିଳିନାହିଁ ଅନୁମତି।

Share