ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ । ଏହାସହ ସେ କହିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍ କରିବାର କୌଣସି ଯୋଜନା ନାହିଁ । ସୂଚନାଯୋଗ୍ୟ, ବାଇଡେନ ପ୍ରଶାସନ ଲଗାତାର ଭାବେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ଚେତାବନୀ ଦେଇ ଆସୁଛି । ଇତିମଧ୍ୟରେ ରୁଷିଆ ତା’ର କିଛି ସେନାଙ୍କୁ ୟୁକ୍ରେନ୍ ସୀମାରୁ ଫେରାଇ ଆଣିବା କଥା କହିଛି । ଏହା ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ କହିଥିଲେ ୟୁକ୍ରେନ୍ ସୀମାରୁ ରୁଷିଆ ସେନା ଫେରାଇ ନେଇ ଆସିବାର କୌଣସି ସାର୍ଥକ ଚିତ୍ର ଦେଖିପାରୁ ନାହିଁ । ସେ କହିଥିଲେ ଏବେବି ପ୍ରକୃତ ଭୟ ଲାଗି ରହିଛି ।
ଏବେ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି କି ୟୁକ୍ରେନ୍ ଉପରେ ରୁଷିଆ ଯେ କୌଣସି ସମୟରେ ଆକ୍ରମଣ କରିପାରେ । ବୁଧବାର ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଆଶଙ୍କା କରି କହିଛନ୍ତି ଯୁଦ୍ଧ କୌଣସି ସମୟରେ ହୋଇପାରେ । ଏକ ପ୍ରେସ ବାର୍ତ୍ତାରେ ସେ ଏହା କହିବା ସହ ଆହୁରି ମଧ୍ୟ କହିଛନ୍ତି ରୁଷିଆ ଅନେକ ବାହାନା ଦେଖାଇ ଆକ୍ରମଣ କରିପାରେ ।

Share