ରୁଷିଆ ବି ମାନିଲା ପିଓକେ ଭାରତର ଅଂଶ

ମସ୍କୋ,୨୦।୧୦: ଶେଷରେ ରୁଷିଆ ମଧ୍ୟ ଜମ୍ମୁ କଶ୍ମୀର, ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ଦେଇଛି। ରୁଷିଆ ସରକାର ଜାରି କରିଥିବା ଏସସିଓ ସଦସ୍ୟ ଦେଶ ମାନଚିତ୍ର ଏହା ପ୍ରମାଣ କରିଛି। ପ୍ରକାଶିତ ମାନଚିତ୍ରରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକସାଇ ଚିନ ଏବଂ ସମଗ୍ର ଅରୁଣାଚଳ ପ୍ରଦେଶ ଭାରତର ଅଂଶ ଭାବରେ ଦର୍ଶାଯାଇଛି। ପାକିସ୍ତାନ ଏବଂ ଚାଇନା ଏସସିଓ ସଦସ୍ୟ ଦେଶ ହୋଇଥିଲେ ମଧ୍ୟ ମସ୍କୋ ଏହି ପଦକ୍ଷେପ ନେଇଛି। ଏହି ମାନଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଏବଂ ଏସସିଓ ମଧ୍ୟରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତୀୟ ପକ୍ଷକୁ ଆହୁରି ମଜଭୁତ କରିଛି। ଚାଇନା ନିକଟରେ ଏସ୍‌ସିଓ ପାଇଁ ପ୍ରକାଶିତ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ନିଜର ଅଂଶ ଭାବରେ ଦର୍ଶାଇ ଏହାର ବିସ୍ତାରବାଦ ନୀତିକୁ ପରିଭାଷିତ କରିଥିଲା।
ସୂଚନାଯୋଗ୍ୟ, ନିକଟରେ ଆମେରିକାର ରାଷ୍ଟ୍ରଦୂତ ପିଓକେ ପରିଦର୍ଶନ କରିଥିଲେ। ସେ ଏହି ଅଞ୍ଚଳକୁ ‘ଆଜାଦ କଶ୍ମୀର’ ବୋଲି କହିଥିଲେ। ଜର୍ମାନ ବୈଦେଶିକ ମନ୍ତ୍ରୀ ମଧ୍ୟ ନିକଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଶ୍ମୀର ବିବାଦର ସମାଧାନ ପାଇଁ ମିଳିତ ଜାତିସଂଘର ଭୂମିକାକୁ ପରାମର୍ଶ ଦେଇଥିଲେ।

Share