ବାଇଡେନ୍‌ଙ୍କ ସ୍ତ୍ରୀ-ଝିଅଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୨୮।୬ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତୟୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷିଆ ପ୍ରତିବନ୍ଧକ ଲଗାଇଛି। ସେମାନେ ଏଣିକି ରୁଷିଆରେ ପ୍ରବେଶ କରିପାରିବେନି। ଏସମ୍ପର୍କରେ ରୁଷିଆ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ରୁଷିଆ ବୈଦେଶିକ ବିଭାଗ କହିଛି ଯେ ବାଇଡେନଙ୍କ ସ୍ତ୍ରୀ ଜିଲ ଏବଂ ଝିଅ ଏଶଲିଙ୍କ ସମେତ ଷ୍ଟପ ତାଲିକାରେ ୨୫ ଜଣଙ୍କ ନାମ ଯୋଡାଯାଉଛି।

ଆମେରିକାର ୪ ଜଣ ସାଂସଦ (ସିନେଟର)ଙ୍କ ପ୍ରବେଶକୁ ରୁଷିଆ ମଧ୍ୟ ବାରଣ କରିଛି। ରୁଷିଆ ସେମାନଙ୍କୁ ରସୋଫୋବିକ ବୋଲି ନାମିତ କରିଛି। ପ୍ରତିବନ୍ଧକ ଲାଗୁ କରାଯାଇଥିବା ସାଂସଦଙ୍କ ମଧ୍ୟରେ ରିପବ୍ଲିକାନ୍ସ ମିଚ ମ୍ୟାକକନେଲ, ସୁଜାନ କଲିନ୍ସ, ବେନ ସେସେ ଏବଂ ଡେମୋକ୍ରାଟ କିର୍ଷ୍ଟେନ ଗିଲିବ୍ରାଣ୍ଡଙ୍କ ନାମ ଅନ୍ତର୍ଭୁକ୍ତ ରହିଛି। ଏହି ତାଲିକାରେ ଫ୍ରାନ୍ସିସ ଫୁକୁୟାମାଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ନାମ ମଧ୍ୟ ରହିଛି।

ଏହା ସହିତ ରୁଷିଆ ମଧ୍ୟ ସ୍ପଷ୍ଟ କରିଛି ଯେ ଯୁଦ୍ଧ ବର୍ତ୍ତମାନ ଶେଷ ହେବ ନାହିଁ। ୟୁକ୍ରେନ ଆତ୍ମସମର୍ପଣ କରିବା ମାତ୍ରେ ରୁଷିଆ ଏହାର ଆକ୍ରମଣକୁ ବନ୍ଦ କରିବ ବୋଲି ମଙ୍ଗଳବାର କହିଛି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଗଣମାଧ୍ୟମକୁ କହିଛନ୍ତି, ଯଦି ୟୁକ୍ରେନ ଦଳ ଚାହାଁନ୍ତି ତେବେ ସବୁକିଛି ବନ୍ଦ କରି ପାରିବେ। ଆତ୍ମସମର୍ପଣ କଲେ ସମାଧାନ ସମ୍ଭବ ହୋଇ ପାରିବ ବୋଲି ସେ କହିଛନ୍ତି।

Share