ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ

ମସ୍କୋ,୧୧।୮: ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀରେ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟରୁ ବାହାର କରିବା ପାଇଁ ମସ୍କୋ ଲଗାତାର କାର୍ଯ୍ୟ କରୁଛି।

ଋଷିଆ ଦୂତାବାସ ସୂଚନା ଦେଇଛି ଯେ ଏପ୍ରିଲ ମାସରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷିଆର ସଶସ୍ତ୍ର ବାହିନୀରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛି। ଅନ୍ୟ ଏକ ବିବୃତ୍ତିରେ ଋଷିଆ ଦୂତାବାସ ୟୁକ୍ରେନ ବିରୋଧରେ ନିଜ ସେନାର ଅପରେସନରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ସମବେଦନା ଜଣାଇଛିି। ଏପରିକି ଲୋକ ସଭାରେ ମଧ୍ୟ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଆଲୋଚନା କରିଥିଲେ।

ଋଷିଆ ଅନୁଯାୟୀ, ଉଭୟ ଦେଶର ଏଜେନ୍ସିମାନେ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବାରେ ନିୟୋଜିତ ଅଛନ୍ତି ଯେଉଁମାନେ ଋଷିଆର ସାମରିକ ସେବା ପାଇଁ ସ୍ବେଚ୍ଛାକୃତ ଭାବେ ସାଇନ ଅପ କରିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ସମ୍ଭବ ହେବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଋଷିଆ ନିଶ୍ଚିତ କରିଛି ଯେ ଯେଉଁମାନେ ୟୁକ୍ରେନ ସହିତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି କିମ୍ବା ଆହତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ।

ତେବେ ସେହି ରିପୋର୍ଟକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ କୁହାଯାଉଛି ଯେ ଭାରତୀୟ ନାଗରିକଙ୍କୁ ବିଭ୍ରାନ୍ତ କରାଯାଇଛି ଏବଂ ଋଷିଆ ସେନାରେ ନିଯୁକ୍ତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଋଷିଆ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଜାଲିଆତି ଯୋଜନାରେ ମସ୍କୋର କୌଣସି ସମ୍ପୃକ୍ତି ନାହିଁ ଏବଂ ଆମେ ଏହି ରିପୋର୍ଟକୁ ଅସ୍ବୀକାର କରୁଛୁ।

Share