ୟୁକ୍ରେନର ଲିମାନ ସହରକୁ କବ୍‌ଜା କଲା ରୁଷିଆ

ମସ୍କୋ,୨୮ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘଦିନ ଧରି ଲାଗିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି। ଏହି ସମୟରେ ପୁଟିନଙ୍କ ସୈନ୍ୟବାହିନୀ ୟୁକ୍ରେନର ଲିମାନ ସହରକୁ ମଧ୍ୟ କବ୍‌ଜା କରି ନେଇଛନ୍ତି। ଏହା ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସ୍ପଷ୍ଟ କରାଯାଇଛି।

ପୂର୍ବ ୟୁକ୍ରେନରେ ଅବସ୍ଥିତ ଲିମାନ ରୁଷିଆ ସମର୍ଥିତ ବାହିନୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି। ତେବେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକରୁ ରୁଷିଆ ସମର୍ଥକ ବିଚ୍ଛିନ୍ନତାବାଦୀମାନେ ଏହି ଦାବି କରିବାର ଗୋଟିଏ ଦିନ ପରେ ରୁଷିଆ ମନ୍ତ୍ରଣାଳୟ ପକ୍ଷରୁ ଏହି ଦାବି ଆସିଛି। ରୁଷିଆ ଅଧିକାଂଶ ଲିମାନକୁ କାବୁ କରିଛି କିନ୍ତୁ ୟୁକ୍ରେନ ସେନା ରୁଷିଆ ସୈନ୍ୟବାହିନୀକୁ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରଗତି କରିବାକୁ ଅନୁମତି ଦେଇନାହାନ୍ତି। ଲିମାନ ପାଇଁ ହିଁ ୟୁକ୍ରେନ ଏବଂ ରୁଷିଆ ସୈନ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲଢ଼େଇ ଚାଲିଥିଲା।

Share