ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’

ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି ନା କିଛି ପ୍ରତିବନ୍ଧକ ଲଗାଇଛନ୍ତି । ଆର୍ଥିକ, କ୍ରିଡା, ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରତିବନ୍ଧକ ଲଗାଯାଇଛି ରୁଷିଆ ଉପରେ । ଏହାରି ଭିତରେ ରୁଷିଆ ଉପରେ ଏମିତି ଏକ ପ୍ରତିବନ୍ଧକ ଲଗାଯାଇଛି ଯାହା ଶୁଣିବା ପରେ ଯେ କେହି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ଫେଡେରେଶନ ଇଣ୍ଟରନ୍ୟାଶନାଲ ଫେଲିନ ସଂସ୍ଥା ଦ୍ୱାରା ଲଗାଯାଇଛି । ଏହା ଏକ ଇଣ୍ଟରନ୍ୟାଶନାଲ କ୍ୟାଟ ଫ୍ୟାନସିୟର ସୋସାଇଟି ।
ଫେଡେରେଶନ ଇଣ୍ଟରନ୍ୟାଶନାଲ ଫେଲିନର ଏକଜ୍ୟୁକିଟଭ ବୋର୍ଡ ସମ୍ପର୍କରେ ଏକ ବୟାନ ଜାରି କରି କହିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ସଭିଙ୍କୁ ଚମକାଇ ଦେଇଛି । ଏଥିରେ ଅଧିକାଂଶ ସାଧାରଣ ନାଗରିକଙ୍କ ଜୀବନ ଗଲାଣି । ଅନେକ ଆହତ ବି ହୋଇଛନ୍ତି । ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ଆଉ ଜୀବନ ବଞ୍ଚାଇବାକୁ ଏଣେତେଣେ ଚାଲିଯାଉଛନ୍ତି । ଏହାକୁ ଦେଖି ଆମେ ରୁଷିଆ ଉପରେ କିଛି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛୁ ।

ସଂସ୍ଥା ପକ୍ଷରୁ କୁହାଯାଇଛି କି ମାର୍ଚ୍ଚ ୧ରୁ ରୁଷିଆ ପ୍ରଜାତିର କୌଣସି ବିଲେଇଙ୍କୁ ଇମ୍ପୋର୍ଟ କରାଯିବ ନାହିଁ । କେବଳ ସେତିକି ନୁହେଁ ରୁଷିଆର ବିଲେଇ ଏବେ ରୁଷିଆ ବାହାରେ ଫେଡେରେଶନର ପେଡିଗ୍ରୀ ବୁକରେ ରେଜିଷ୍ଟର ହେବେ ନାହିଁ । ଏହାସହ ଫେଡେରେଶନର କୌଣସି ଶୋ’ରେ ରୁଷିଆ ବିଲେଇଙ୍କୁ ସାମିଲ କରାଯିବ ନାହିଁ । ଏହି ପ୍ରତିବନ୍ଧକ ୩୧ ମେ’ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ଏକ ବୈଠକ କରାଯିବ ପୁଣି ପ୍ରତିବନ୍ଧକ ବୃଦ୍ଧି ହେବ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଏହାସହ ଫେଡେରେଶନ କହିଛି ୟୁକ୍ରେନରେ ବିଲେଇ ପାଳୁଥିବା ଲୋକଙ୍କ ପାଇଁ କିଛି ବଜେଟ ଜାରି କରାଯିବ ।

Share