ଆସନ୍ତା ବର୍ଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ରୁଷିଆ…

ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଆସନ୍ତା ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ସୈନ୍ୟ ସଂଖ୍ୟାରେ ପୁଣି ବୃଦ୍ଧି ପାଇପାରେ। ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଉପରେ ଆମେରିକା ମଧ୍ୟ ତୀକ୍ଷ୍ଣ ନଜର ରଖିଛି।

ଆମେରିକାର ଗୁପ୍ତଚର ଅଧିକାରୀମାନେ କହିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯୋଜନା କରୁଛି। ୨୦୨୨ ଆରମ୍ଭରୁ ଏଭଳି ଅଭିଯାନ କରାଯିବାର ଆଶଙ୍କା ରହିଛି। ଏଥିପାଇଁ ରୁଷିଆ ୟୁକ୍ରେନ ସୀମାରେ ୧ ଲକ୍ଷ ୭୫ ହଜାର ସୈନିକ ମୁତୟନ କରିବାକୁ ଯୋଜନା କରୁଛି। ସୈନ୍ୟମାନେ ୟୁକ୍ରେନ ସୀମାଠାରୁ କିଛି ଦୂରରେ ବିଭିନ୍ନ ସ୍ଥାନରେ ରହିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଜଣେ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ସରକାର ୟୁକ୍ରେନ୍‌ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ସେ କହିଛନ୍ତି।

ହ୍ବାଇଟ ହାଉସର ମୁଖପାତ୍ର ଜେନ ସାକି କହିଛନ୍ତି ଯେ ଯଦି ୟୁକ୍ରେନ ବିରୁଦ୍ଧରେ ରୁଷିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ବାଇଡେନ୍‌ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବେ। ଏଥି ସହିତ ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କରୁଥିବା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ ଚେତାବନୀ ଦେଇଛନ୍ତି। ବାଇଡେନ କହିଛନ୍ତି ଯେ ଆମେ ଦୀର୍ଘ ଦିନ ଧରି ରୁଷିଆର କାର୍ଯ୍ୟକଳାପ ବିଷୟରେ ଅବଗତ ରହିଛୁ ଏବଂ ପୁଟିନଙ୍କ ସହ ଆଲୋଚନା କରିବାକୁ ଯାଉଛୁ ବୋଲି ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। ପୁଟିନ ଯାହା କରିବାକୁ ଯାଉଛନ୍ତି ସେଥିପାଇଁ ଆମେରିକା ଚିନ୍ତିତଥିବା ସେ କହିଛନ୍ତି।

ହ୍ବାଇଟ ହାଉସ ଏବଂ କ୍ରେମଲିନ ପକ୍ଷରୁ ଆସନ୍ତା ସପ୍ତାହରେ ବାଇଡେନ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ପୁଟିନଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରୀ ଉଷାକୋଭ ଗଣମାଧ୍ୟମକୁ କହିଛନ୍ତି ଯେ ଆଗାମୀ ଦିନରେ ପୁଟିନ-ବାଇଡେନଙ୍କ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଇଛି, କିନ୍ତୁ ମସ୍କୋ ଏବଂ ୱାଶିଂଟନ ସବିଶେଷ ତଥ୍ୟ ଆଦାନପ୍ରଦାନ ଶେଷ କରିବା ପରେ ଏନେଇ ତାରିଖ ଘୋଷଣା କରାଯିବ।

Share