ହତ୍ୟା ତାଲିକା କରିଛି ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌/ମସ୍କୋ, ୨୨ା୨: ୟୁକ୍ରେନ କବ୍‌ଜା କରିବାକୁ ଆକ୍ରମଣ ନିମନ୍ତେ ଶେଷ ପ୍ରସ୍ତୁତିରେ ଲାଗିଥିବା ରୁଷିଆ ଟାର୍ଗେଟ କିଲିଂ କରିବ। ଏ ନେଇ ମସ୍କୋ ୟୁକ୍ରେନର କେତେକ ପ୍ରମୁଖ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ୟୁକ୍ରେନ ଅକ୍ତିଆର ପରେ ରୁଷିଆ ସେମାନଙ୍କୁ ଖୋଜି ହତ୍ୟା କରିବ କିମ୍ବା ନିଜ କ୍ୟାମ୍ପ୍‌ରେ ବନ୍ଦୀ କରି ସେମାନଙ୍କୁ ନିର୍ଯାତନା ଦେବାକୁ ଯୋଜନା କରିଛି ବୋଲି ଆମେରିକା ଜାତିସଂଘକୁ ସତର୍କ କରାଇଛି। ଏହାଦ୍ୱାରା ମାନବାଧିକାରର ଭୟଙ୍କର ଉଲ୍ଲଂଘନ ହେବ ଏବଂ ୟୁକ୍ରେନବାସୀ ଅମାନବୀୟ ଅତ୍ୟାଚାରର ଶିକାର ହେବେ ବୋଲି ଜାତିସଂଘ ମାନବାଧିକାର ହାଇ କମିଶନର ମିଶେଲେ ବାଚେଲେଟ୍‌ଙ୍କୁ ଆମେରିକା ଏକ ଚିଠି ଲେଖି ଜଣାଇଛି। ଜେନେଭାରେ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ବାଥ୍‌ଶେବା ନେଲ କ୍ରୋକର ଏହି ଚିଠିରେ ଆହୁରି କହିଛନ୍ତି ଯେ, ରୁଷିଆକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଇଛି। ପ୍ରମୁଖ ରାଜନେତା, ବିଭିନ୍ନ ଧର୍ମ ତଥା ଅନୁସୂଚିତ ଜାତିର ଲୋକଙ୍କ ସମେତ ଅନେକଙ୍କୁ ଅପହରଣ ପରେ ହତ୍ୟା କିମ୍ବା ବନ୍ଦୀ କରିବା ପାଇଁ ମସ୍କୋ ଯୋଜନା କରିଥିବା ଏଥିରେ କୁହାଯାଇଛି।
ଯୁଦ୍ଧ ଟାଳିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ରବିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ। ମାକ୍‌ରଁ ମଧ୍ୟସ୍ଥତା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ପୁଟିନଙ୍କ ମଧ୍ୟରେ ଏକ ଶିଖର ସମ୍ମିଳନୀ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ରୁଷିଆ ଯଦି ୟୁକ୍ରେନକୁ ଆକ୍ରମଣ ନ କରିବ ବୋଲି ସର୍ତ୍ତ ରଖେ ତେବେ ପୁଟିନ୍‌ଙ୍କ ସହ ବୈଠକ ହେବ ବୋଲି ବାଇଡେନ୍‌ ରାଜି ହୋଇଛନ୍ତି। ହେଲେ କୌଣସି ପ୍ରକାର ସମ୍ମିଳନୀ ପାଇଁ ସ୍ବତନ୍ତ୍ର ଯୋଜନା କରିବା ଏତେ ଶୀଘ୍ର ହୋଇପାରିବ ନାହିଁ ବୋଲି କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ସ୍ତରରେ ଆଲୋଚନା ଜାରି ରହିପାରିବ। ଯଦି ଆବଶ୍ୟକ ପଡେ ତେବେ ରୁଷିଆ ଏବଂ ଆମେରିକା ରାଷ୍ଟ୍ରପତି ଫୋନ୍‌ କିମ୍ବା ଅନ୍ୟ ମାଧ୍ୟମରେ ପରସ୍ପର ସହ କଥା ହୋଇପାରିବେ। ଯଦି ରୁଷିଆ ସରକାର ଉଚିତ ମନେ କରନ୍ତି ତେବେ ଯାଇ ସମ୍ମିଳନୀ ଆୟୋଜନ ହୋଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୁଟିନ୍‌ ସୋମବାର କ୍ରେମଲିନ୍‌ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡାକିଛନ୍ତି। ସେପଟେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍‌ରୋଭ୍‌ ଫ୍ରାନ୍ସ ପ୍ରତିପକ୍ଷ ଜିନ୍‌ ୟଭେସ୍‌ ଲେ ଡ୍ରିଆନ୍‌ଙ୍କ ସହ ସୋମବାର କଥା ହୋଇଥିବାବେଳେ ଗୁରୁବାର ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Share