ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ ଉପରେ ଭରସା କରି ପାରୁନାହିଁ। ଟିକାର ସମ୍ପୂର୍ଣ୍ଣ ପରୀକ୍ଷା ଶେଷ ନ ହୋଇଥିବାବେଳେ ଏହାକୁ ବଜାରକୁ ଅଣାଯାଇଥିଲା। ସେତେବେଳେ ସମସ୍ତ ଆଶଙ୍କାକୁ ରୁଷ୍‌ ଖଣ୍ଡନ ମଧ୍ୟ କରିଥିଲା। କିନ୍ତୁ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ସନ୍ଦେହ ଉପୁଜିବାରୁ ଏବେ ରୁଷ୍‌ରେ ଲୋକଙ୍କୁ ଏହି ଟିକା ଦିଆଯିବା ପାଇଁ ବାରଣ କରାଯାଇଛି। ଟିକାର ପରୀକ୍ଷା ପୂର୍ବରୁ ଏହା ଉପରେ ପ୍ରଶ୍ନ ଉଠାଇଥିବା ରୁଷ୍‌ ଆସୋସିଏଶନ୍‌ ଫର ଏଭିଡେନ୍ସ୍‌ ବେସଡ୍‌ ମେଡ଼ିସିନ୍‌ର ଉପାଧ୍ୟକ୍ଷ ଡାକ୍ତର ଓ୍ବସିଲି ଓ୍ବେଲାସୋଭ୍‌ କହିଛନ୍ତି ଯେ, ଟିକା ସମ୍ପର୍କରେ ଆମ ପାଖରେ ବହୁତ କମ୍‌ ସୂଚନା ରହିଛି। ଏହା କିଭଳି ମନୁଷ୍ୟ ଶରୀରରେ କାମ କରିବାକୁ ସକ୍ଷମ ସେ ନେଇ ବିଶଦ ତଥ୍ୟ ନ ମିଳିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଏହା ନ ଦିଆଯିବା ଉଚିତ। ଏହା ଦ୍ୱାରା ସମସ୍ୟା ଅଧିକ ବଢ଼ିବ ପଛେ କମ ହେବ ନାହିଁ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଢ଼ମାସ ବିତିବାକୁ ଯାଉଥିଲେ ମଧ୍ୟ ଏହି ଟିକା ପ୍ରସ୍ତୁତି କାର୍ଯ୍ୟ ବହୁତ ଧିମାଗତିରେ ଜାରି ରହିଛି। ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ଟିକା ନେଇ ଆମେ ସନ୍ଦେହମୁକ୍ତ ନୁହଁ। ସମ୍ପ୍ରତି କ୍ରିମିୟା ମାଳଭୂମିର ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ଏହି ଟିକା ପଠାଯାଇଛି। ତେବେ ସେଠାରେ କେବଳ ୨୧ ଜଣଙ୍କ ପାଇଁ ଟିକା ପଠାଯାଇଥିବା ଜଣାପଡ଼ିଛି। ଦେଶର କେତେକ ଅଞ୍ଚଳକୁ କମ୍‌ ପରିମାଣର ଟିକା ପଠାଯାଇଥିବା ରୁଷ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍‌ ମୁରାଶକୋ କିଛି ଦିନ ତଳେ ସୂଚନା ଦେଇଥିଲେ। ମାତ୍ର ଏଭଳି କାହିଁକି କରାଯାଇଛି ତାହା ସେ ପ୍ରକାଶ କରି ନ ଥିଲେ। ସାଧାରଣ ଲୋକଙ୍କ ପାଇଁ କେବେ ଟିକା ଉପଲବ୍ଧ ହେବ ତାହା ସେ କହି ନ ଥିଲେ। ସେଣ୍ଟ ପିଟର୍ସବର୍ଗ ଅଞ୍ଚଳକୁ ପ୍ରଥମେ ଯିକା ପଠାଯିବାର ସମ୍ଭାବନା ଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଡାକ୍ତର, ସାସ୍ଥ୍ୟକର୍ମୀ ଏବଂ ଶିକ୍ଷକଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ପୂର୍ବରୁ ସେ ପ୍ରକାଶ କରିଥିଲେ।

Share