ଲେଉଟି ମାରୁଛି ରୁଷିଆ

କିଭ୍‌/ମସ୍କୋ, ୩୧ା୩: ଗୋଟିଏ ପଟେ ଶାନ୍ତି ଆଲୋଚନାରେ ଆକ୍ରମଣ ହ୍ରାସ ପ୍ରତିଶ୍ରୁତି, ଅନ୍ୟପଟେ ସୈନ୍ୟ ଗତିବିଧି ବଢ଼ାଇ ଯୁଦ୍ଧର ତୀବ୍ରତା ବୃଦ୍ଧି। ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଥିବା କୁହାଯିବା ପରେ ଯାହା ଆଶା କରାଯାଉଥିଲା ତାହାର ଓଲଟା କରିଛି ମସ୍କୋ।

ୟୁକ୍ରେନ୍‌ର ଦାବି ବାସ୍ତବତା ଆଡ଼କୁ ଯାଇଥିବା କହି ପାରସ୍ପରିକ ବିଶ୍ୱାସ ବୃଦ୍ଧି ନିମନ୍ତେ କିଭ୍‌ ଓ ଚେର୍ନିହିଭ୍‌ରେ ମିଲିଟାରୀ ଅପରେଶନ କମାଇବାକୁ ରୁଷିଆ ପ୍ରତିନିଧି ମଙ୍ଗଳବାର କହିଥିଲେ। କିନ୍ତୁ ବୁଧବାର ସକାଳେ କିଭ୍‌ରେ ରୁଷୀୟ ସୈନ୍ୟ ପୁଣି ଆକ୍ରମଣ ଜାରି ରଖିଛନ୍ତି। ଦେଶର ସାର୍ବଭୌମତ୍ୱ ରକ୍ଷା, ସୁରକ୍ଷା ଗ୍ୟାରେଣ୍ଟି ବଦଳରେ ୟୁକ୍ରେନ୍‌ ନିରପେକ୍ଷ ରହିବାକୁ ରାଜି ହୋଇଥିଲେ ମଧ୍ୟ ବୈଠକରେ ସେପରି କିଛି ନିଷ୍କର୍ଷ ବାହାରି ନ ଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଗଣମାଧ୍ୟମକୁ କହିଛନ୍ତି।
ସକାରାତ୍ମକ ଫଳାଫଳ ବାହାରିଥିବା କହି ରୁଷିଆ ଆକ୍ରମଣ କରୁଛି। ତେଣୁ ଏହି ଦେଶକୁ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି। କୌଣସି ଠୋସ୍‌ ରେଜଲ୍ଟ ନ ବାହାରିବା ପର୍ଯ୍ୟନ୍ତ ୟୁକ୍ରେନ୍‌ ପ୍ରତିରୋଧ ଜାରି ରଖିବ ବୋଲି କହିବା ସହ ପାଶ୍ଚାତ୍ୟ ଦେଶ ରୁଷିଆ ଉପରୁ କଟକଣା ନ ହଟାଇବାକୁ ଜେଲେନ୍‌ସ୍କି ନିବେଦନ କରିଛନ୍ତି। ଏପରି ଜାରି ରହିଲେ ୩୫ ଦିନ ଧରି ଚାଲିଥିବା ଯୁଦ୍ଧରେ ରୋକ ଲାଗିବା କଷ୍ଟକର ହେବା ଆଶଙ୍କା ଦେଖାଦେଇଛି। ସେହିପରି ୟୁକ୍ରେନ୍‌ର ଧ୍ୟାନ ହଟାଇବାକୁ ରୁଷିଆର ଏହା ଏକ ଯୋଜନା ବୋଲି ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ସୈନ୍ୟ ହଟାଇବା ବଦଳରେ ରୁଷିଆ ନିଜ ଫୋର୍ସକୁ ପୁଣି ଯୋଜନାବଦ୍ଧ ଭାବେ ବିଭିନ୍ନ ସ୍ଥାନରେ ମୁତୟନ କରୁଛି। କିଭ୍‌କୁ କବ୍‌ଜା କରିବାରେ ବିଫଳ ହୋଇଥିବାରୁ ମସ୍କୋ ଆକ୍ରମଣ କମାଇବା କଥା କହି ନିଜର ନୂଆ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ୟୁକ୍ରେନ୍‌ ଉପରୁ ବିପଦ ଟଳିନାହିଁ ବୋଲି ପେଣ୍ଟାଗନ୍‌ କହିଛି।
ସାମରିକ ଶକ୍ତି ବହୁମାତ୍ରାରେ ହ୍ରାସ ପାଇଥିବା କହି ପ୍ରଥମ ପର୍ଯ୍ୟାୟ ମିଲିଟାରୀ ଅପରେଶନ ସଫଳ ହୋଇଥିବା ରୁଷିଆ ଦାବି କରିଥିଲା। ତେଣୁ ଏବେ କେବଳ ଡୋନ୍‌ବାସ୍‌ ଅଞ୍ଚଳ ଉପରେ ମସ୍କୋ ଗୁରୁତ୍ୱ ଦେବ ବୋଲି କହିଥିଲା। କିନ୍ତୁ ଡୋନ୍‌ବାସ କ୍ଷେତ୍ର ସମେତ ୟୁକ୍ରେନ୍‌ର ଅନ୍ୟ ସହରରେ ମଧ୍ୟ ରୁଷିଆ ଆକ୍ରମଣ ଜାରି ରଖିଥିବାରୁ ଏହାର ପ୍ରତିଶ୍ରୁତିକୁ ଅନେକେ ଭରସାକୁ ନେଉନାହାନ୍ତି। ସେପଟେ ଦକ୍ଷିଣ ଓ ପୂର୍ବ ୟୁକ୍ରେନ୍‌ରେ ସେଲ୍‌, ବୋମା, ମିଶାଇଲ ମାଡ଼ ଜାରି ରଖିଛି ରୁଷିଆ। ମାରିଉପୋଲ, ଡୋନ୍‌ବାସ୍‌ ଅଞ୍ଚଳର ଡୋନେସ୍କ ଓ ଲୁହାନ୍‌ସ୍କରେ ଆକ୍ରମଣ ଥମିବାର ନାଁ ନେଉନି। ମାରିଉପୋଲରେ ୟୁକ୍ରେନ୍‌ ଆତ୍ମସମର୍ପଣ କଲେ ହିଁ ସେଠାରେ ସେଲ୍‌ମାଡ଼ ବନ୍ଦ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନୁଏଲ୍‌ ମାକ୍‌ରଁଙ୍କୁ କହିଛନ୍ତି। ଏହାବାଦ୍‌ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ବୈଠକରେ ୟୁକ୍ରେନ୍‌ କ୍ରିମିଆ ଉପଦ୍ୱୀପ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲା। ଏହାକୁ ନେଇ କ୍ରେମଲିନ୍‌ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। କ୍ରିମିଆ କେବଳ ରୁଷିଆର ଅଂଶ, ତେଣୁ ଏହା ଉପରେ କୌଣସି ଆଲୋଚନା ହୋଇପାରିବ ନାହିଁ ବୋଲି ପେସ୍‌କୋଭ୍‌ କହିଛନ୍ତି।

Share