ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ, ପୁଟିନ୍‌ଙ୍କୁ ସତ କହିବାକୁ ଡରୁଛନ୍ତି ଅଧିକାରୀ…

ଓ୍ବାଶିଂଟନ, ୩୧।୩ : ଆମେରିକା କହିଛି ଯେ ୟୁକ୍ରେନ ଯୁଦ୍ଧର ପ୍ରକୃତ ସ୍ଥିତି ବିଷୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅବଗତ ନୁହଁନ୍ତି। ହ୍ବାଇଟ ହାଉସ ଗୁପ୍ତଚର ଏଜେନ୍ସି୍‌ ଅନୁସାରେ ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ ହେବାରେ ଲାଗିଛି। ମାତ୍ର ରୁଷିଆ ଅଧିକାରୀମାନେ ଯୁଦ୍ଧ ବିଷୟରେ ସଠିକ ସୂଚନା ପୁଟିନ୍‌ଙ୍କୁ ଦେବାକୁ ଡରୁଛନ୍ତି। ସେମାନେ ନିଜ ରାଷ୍ଟ୍ରପତିଙ୍କଠାରୁ ସତ୍ୟ ଲୁଚାଉଛନ୍ତି।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ କିଛି ତିକ୍ତତା ମଧ୍ୟ ରହିଛି। ଆମେରିକାର ଏହି ପର୍ଦ୍ଦାଫାଶ୍‌ ପରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆମେରିକା କହିଛି ଯେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ହଠାତ୍‌ ନିଖୋଜ ହେବା ଦର୍ଶାଉଛି ଯେ ପୁଟିନଙ୍କୁ ସମର୍ଥନ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ୟୁକ୍ରେନ ଦାବି କରିଛି ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସରଜେଇ ଶୋଏଗୁ ହୃଦଘାତରେ ପୀଡିତ। ପୁଟିନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ତେବେ କ୍ରେମଲିନ ଏହାକୁ ଅସ୍ବୀକାର କରିଛି।

ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ କେଟ ବେଡିଙ୍ଗଫିଲ୍ଡ କହିଛନ୍ତି ଯେ ୟୁକ୍ରେନରେ ରୁଷିଆର ସାମରିକ ଅବସ୍ଥା ଖରାପ ହେବାରେ ଲାଗିଛି। ପ୍ରତିବନ୍ଧକ ଯୋଗୁ ରୁଷିଆର ଅର୍ଥନୀତି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ପୁଟିନଙ୍କ ପରାମର୍ଶଦାତା ତାଙ୍କୁ ସତ୍ୟ କହୁ ନାହାଁନ୍ତି। କଥାଟି ହେଉଛି ବରିଷ୍ଠ ପରାମର୍ଶଦାତାମାନେ ତାଙ୍କୁ ସତ କହିବାକୁ ଭୟ କରୁଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବଲିଙ୍ଗେନ କହିଛନ୍ତି ଯେ ପୁଟିନ ତାଙ୍କ ଉପଦେଷ୍ଟାମାନଙ୍କଠାରୁ କେବେବି ସମସ୍ତ ସୂଚନା ପାଇନାହାଁନ୍ତି। ରାଷ୍ଟ୍ରପତି ଏକଛତ୍ରବାଦୀ ଶାସକ ଭାବରେ ଶାସନ କରୁଛନ୍ତି। ଏହାର ଅସୁବିଧା ହେଉଛି ଯେ ତାଙ୍କ ପାଖରେ ସତ କହିବାକୁ କେହି ନାହାଁନ୍ତି। ସମସ୍ତେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମିଥ୍ୟା ହିଁ କହୁଛନ୍ତି। ଏଥି ସହିତ, ନ୍ୟୁୟର୍କ ଟାଇମ୍ସ ସହିତ କଥାବାର୍ତ୍ତା ସମୟରେ କେତେକ ଅଧିକାରୀ କହିଛନ୍ତି ଯେ ପୁଟିନ ବର୍ତ୍ତମାନ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି।

ମହାମାରୀ ସମୟରେ ପୁଟିନ ନିଜ ଅଧିକାରୀଙ୍କଠାରୁ ଦୂରେଇ ରହିଥିଲେ ବୋଲି ସେ କହିଛନ୍ତି। ପୁଟିନ ସର୍ବସାଧାରଣରେ ତାଙ୍କ ଅଧିକାରୀମାନଙ୍କୁ ଅପମାନିତ କରନ୍ତି, ତେଣୁ ତାଙ୍କର ସାମରିକ ଅଧିକାରୀମାନେ ଆଉ ତାଙ୍କୁ ସତ କହିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଆମେରିକା କହିଛି।

Share