ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ ମିଳିଛି। ତେବେ ଏଭଳି ଚିହ୍ନ କିଏ କାହିଁକି କରିଛି ତାହା ମଧ୍ୟ ସମ୍ପୃକ୍ତ ଘର ମାଲିକମାନେ କହିପାରୁ ନାହାନ୍ତି। ପୂର୍ବରୁ ଏଭଳି ଚିହ୍ନ ନ ଥିଲା। ଏବେ କିଛି ଦିନ ହେଲା ଏଭଳି ଚିହ୍ନ ଦେଖିବାକୁ ମିଳୁଛି।

ଧୀରେ ଧୀରେ ଏଭଳି ଚିହ୍ନ ଥିବା ଘର ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଏଭଳି ଚିହ୍ନ ଗ୍ୟାସ୍‌ ପାଇପ୍‌ ଉପରେ ମଧ୍ୟ ଚିତ୍ରିତ କରାଯାଇଛି। ଏଥିରେ କ୍ରସ୍‌ ଏବଂ ଲାଲ୍‌ ରଙ୍ଗର ତୀର ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ରିଫ୍ଲେକ୍ଟିଭ୍‌ ମାର୍କିଂ ମଧ୍ୟ କରାଯାଇଛି।

ଏଭଳି ଚିହ୍ନ ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ କରାଯାଉଥିବା ସନ୍ଦେହ ପ୍ରକାଶ ପାଇଛି। ଏଭଳି ଚିହ୍ନ ଦ୍ୱାରା ଏୟାର ଷ୍ଟ୍ରାଇକ୍‌କୁ ତୀବ୍ର କରିବା ପାଇଁ ରୁଷିଆ ସୈନ୍ୟ ସେମାନଙ୍କ ରଣନୀତିରେ ପରିବର୍ତ୍ତନ ଆଣିଥିବା ଲୋକେ ସନ୍ଦେହ କରୁଛନ୍ତି। ଏଭଳି ଚିହ୍ନକୁ ଶୀଘ୍ର ଲିଭାଇ ଦେବାକୁ ସୋସିଆଲ୍‌ ମିଡ଼ିଆ ଫେସବୁକ୍‌ରେ ଲୋକଙ୍କୁ ଅନୁରୋଧ କରାଯାଇଛି।

ଏନେଇ ପଶ୍ଚିମ ୟୁକ୍ରେନ୍‌ ସହର ରିବ୍‌ନିର ମେୟର ଆଲେକଜାଣ୍ଡାର ଟ୍ରିଟକ୍‌ କହିଛନ୍ତି ଯେ, ଏଭଳି ସନ୍ଦିଗ୍ଧ ଚିହ୍ନକୁ ଲିଭାଇବା ସହିତ ଛାତ ଉପରକୁ ଯାଉଥିବା ପ୍ରବେଶ ପଥକୁ ଶୀଘ୍ର ବନ୍ଦ କରିଦେବା ଉଚିତ। କିଏ ଏଭଳି କରୁଛି ତାହା ଉପରେ ନଜର ରଖିବା ଆବଶ୍ୟକ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Share