ମସ୍କୋ,୩୦ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧ ସମୟରେ ସୀମାରେ ଆହତମାନଙ୍କ ପାଇଁ ବ୍ୟବହୃତ ରକ୍ତକୁ ମଧ୍ୟ ସେ ସଂରକ୍ଷଣ କରୁଛି। ରୁଷିଆ କହିଛି, ୟୁକ୍ରେନ ସହିତ ଯୁଦ୍ଧ ଚାହୁଁନାହୁଁ। ମାତ୍ର ଏହି ସମୟରେ ଆମେ ପଛକୁ ବି ଫେରିବାକୁ ଚାହୁଁନାହୁଁ। ଆଗକୁ ଯିବା ଆମର ଲକ୍ଷ୍ୟ। ତେଣୁ ପ୍ରସ୍ତୁତ ହେଉଛୁ। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଫେବୃୟାରୀରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ବାଇଡେନ୍ କହିଛନ୍ତି।
ଅନ୍ୟପକ୍ଷରେ ରୁଷିଆ ଏବଂ ୟୁକ୍ରେନରେ ଚାଲିଥିବା ଉତ୍ତେଜନାରେ ଏକ ନୂଆ ମୋଡ଼ ଆସିଛି। ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଆମେରିକାକୁ ନିନ୍ଦା କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ରୁଷିଆ ଆକ୍ରମଣର ଯୋଜନା କରିବ ବୋଲି ଭୟ କରି ଆମେରିକା ଅନାବଶ୍ୟକ ଭାବରେ ୟୁକ୍ରେନର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ଏହି ସମୟରେ, ରୁଷିଆର ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ମସ୍କୋ ଯୁଦ୍ଧ ଆରମ୍ଭ କରିବ ନାହିଁ, କିନ୍ତୁ ଆମେରିକା ଏବଂ ନାଟୋକୁ ଚେତାବନୀ ଦେଇଛି ଯେ, ପାଶ୍ଚାତ୍ୟ ଦେଶ ହାତରେ ଏହାର ସୁରକ୍ଷା ସ୍ବାର୍ଥକୁ ଧୂଳିସାତ କରିବାକୁ ଦେବ ନାହିଁ।