କ୍ୱିଭ୍‌ ଦଖଲ ପାଇଁ ସିରିଆ ଯୋଦ୍ଧାଙ୍କୁ ନିଯୁକ୍ତ କରୁଛି ରୁଷିଆ…

ମସ୍କୋ,୭।୩ : ୟୁକ୍ରେନ ଯୁଦ୍ଧରେ ରାଜଧାନୀ କ୍ୱିଭ୍‌ ଦଖଲ କରିବା ଲାଗି ରୁଷିଆ ସିରିଆ ଯୋଦ୍ଧାଙ୍କୁ ସାମିଲ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ସିରିଆ ଯୋଦ୍ଧାଙ୍କୁ କ୍ୱିଭ୍‌ ଦଖଳ କାର୍ଯ୍ୟରେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି।

ସିରିଆ ଯୋଦ୍ଧାମାନେ ସହରୀ ଯୁଦ୍ଧରେ ଅଭିଜ୍ଞ। ତେଣୁ ପୁଟିନ୍‌ ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୨୦୧୫ଠାରୁ ରୁଷିଆ ସିରିଆ ଗୃହଯୁଦ୍ଧରେ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଆମେରିକାର ୪ ଜଣ ଅଧିକାରୀଙ୍କ ତଥ୍ୟ ଆଧାରରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟ କରିଛି ଯେ କିଛି ସିରିଆ ଯୋଦ୍ଧା ରୁଷିଆ ପକ୍ଷରୁ ଏକ ନୂତନ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି।

ସିରିଆ ଯୋଦ୍ଧାଙ୍କୁ ରୁଷିଆ ମାସିକ ୨୦୦ ରୁ ୩୦୦୦ ଡଲାର ଦରମା ଆକାରରେ ପ୍ରଦାନ କରିବ। ସେମାନଙ୍କୁ ୬ ମାସିଆ ନିଯୁକ୍ତି ପ୍ରଦାନ କରାଯିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share