‘ରୁଷିଆ ୨ ଲକ୍ଷ ୟୁକ୍ରେନ ଶିଶୁଙ୍କୁ କରିନେଇଛି ଅପହରଣ’

କିଭ୍‌,୩।୬:ବିଶ୍ୱ ମାତାପିତା ଦିବସ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ରୁଷିଆ ୨ ୟୁକ୍ରେନ ପିଲାଙ୍କୁ ଅପହରଣ କରିଛି। ଏହି ଅପରାଧିକ ଷଡଯନ୍ତ୍ରର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ଅପହରଣ କରିବା ନୁହେଁ, ବରଂ ସେମାନଙ୍କୁ ୟୁକ୍ରେନକୁ ଭୁଲିଯିବାକୁ ବାଧ୍ୟ କରିବା ବୋଲି ଜେଲେନସ୍କି ଦାବି କରିଛନ୍ତି।
ଜେଲେନସ୍କି କହିଛନ୍ତି, ୟୁକ୍ରେନ ଏହି ଅପରାଧ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡିତ କରିବ, କିନ୍ତୁ ପ୍ରଥମେ ଏହା ରୁଷିଆକୁ ଯୁଦ୍ଧକ୍ଷେତ୍ରରେ ଦେଖାଇବ ଯେ ୟୁକ୍ରେନକୁ ଜିତିବା ଅସମ୍ଭବ ଅଟେ। ୟୁକ୍ରେନର ଲୋକମାନେ ଆତ୍ମସମର୍ପଣ କରିବେ ନାହିଁ ଏବଂ ୟୁକ୍ରେନର ପିଲାମାନଙ୍କୁ ଅନ୍ୟ (ରୁଷିଆ)ର ସମ୍ପତ୍ତି ହେବାକୁ ଦେବେ ନାହିଁ। ରୁଷିଆ ଆକ୍ରମଣରେ ୨୪୩ ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ୪୪୬ ଜଣ ଆହତ ହୋଇଛନ୍ତି। ରୁଷିଆ ଏ ପର୍ଯ୍ୟନ୍ତ ୟୁକ୍ରେନର ୨୦ ପ୍ରତିଶତ ଜମି ଦଖଲ କରିଛି।
ଗହମ ଯୋଗାଣ ଉପରେ ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନର ସମସ୍ତ ସମୁଦ୍ର ପଥ ଏବଂ ବନ୍ଦରଗୁଡିକ ରୁଷିଆର ଅଧୀନରେ ଅଛି। ଯଦି ମିଳିତ ଜାତିସଂଘ ଚାହିଁବ, ତେବେ ଏହି ସ୍ଥାନରୁ ଗହମ ଯୋଗାଣ ପାଇଁ ଏକ ସୁରକ୍ଷିତ ରାସ୍ତା ତିଆରି କରିପାରେ। ମିଳିତ ଜାତିସଂଘର ନେତୃତ୍ୱରେ ୟୁକ୍ରେନ ଗହମ ଯୋଗାଇବାକୁ ପ୍ରସ୍ତୁତ।

Share