ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ ରୁଷିଆ ୟୁକ୍ରେନ୍‌ ବିରୋଧରେ ଅପରେଶନ୍‌ ଜେଡ୍‌ ଆରମ୍ଭ କରିଛି। ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ରୁଷିଆର ଏହି ଅପରେଶନରେ ବ୍ୟବହୃତ ତୋପ ଗୁଡ଼ିକରେ ଇଂଲିଶ୍‌ରେ ‘ଜେଡ୍‌’ ଅକ୍ଷର ଲେଖାଯାଇଛି।

‘ଜେଡ୍‌’ ଅକ୍ଷର କେବଳ ତୋପ ଉପରେ ନୁହେଁ, ବନ୍ଧୁକ, ଇନ୍ଧନ ଟ୍ରକ ଏବଂ ପରିବହନ ଯାନ ଉପରେ ମଧ୍ୟ ଲେଖାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ନିକଟରେ ଏବଂ ବେଲଗୋରୋଡଠାରେ ରୁଷିଆର ତୋପ ଏବଂ ସୈନ୍ୟ ଦଳଙ୍କୁ ଦେଖିବାକୁ ମିଳିଛି। ପ୍ରାୟ ୨୦୦ ରୁଷୀୟ ସାମରିକ ଯାନଗୁଡ଼ିକ ଉପରେ ‘ଜେଡ୍‌’ ଲେଖା ଯାଇଛି। ଯାହା ତରବରିଆ ଭାବେ ଚିହ୍ନିତ ହୋଇଥିବାର ଅନୁମାନ କରାଯାଉଛି।

ଶାନ୍ତି ବିଷୟରେ ଉଲ୍ଲେଖ କରି ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ମୁଁ ଜାଣେ ନାହିଁ ରୁଷିଆର ରାଷ୍ଟ୍ରପତି କଣ ଚାହୁଁଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଛି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ଆଲୋଚନା ପାଇଁ ସ୍ଥାନ ଚୟନ କରିପାରିବ। ସୁରକ୍ଷା ସମ୍ମିଳନୀରେ ଜେଲେନସ୍କି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିଥିଲେ।

ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନ କୂଟନୈତିକ ପଥ ଅନୁସରଣ କରିବ। ଜେଲେନସ୍କିଙ୍କ ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂର୍ବ ୟୁକ୍ରେନର ରୁଷିଆକୁ ସମର୍ଥନ କରୁଥିବା ବିଦ୍ରୋହୀମାନଙ୍କ ଯୋଗୁ ହିଂସା ବୃଦ୍ଧି ପାଉଛି ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି କରୁଛି ଯେ ରୁଷିଆ ଆକ୍ରମଣ କରିପାରେ।

Share