ମେଟାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ରୁଷିଆ…

ମସ୍କୋ,୧୧।୧୦ : ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ବିରୋଧରେ ରୁଷିଆ କଠୋର ପଦକ୍ଷେପ ନେଇଛି । ରୁଷିଆ ଏହାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାଭୁକ୍ତ କରିଛି। ମେଟା ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଚଳିତ ବର୍ଷ ମାର୍ଚ୍ଚ ଶେଷରେ ରୁଷିଆ ଉଗ୍ରବାଦୀ କାର୍ଯ୍ୟକଳାପ ପାଇଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୟୁକ୍ରେନରେ ରୁଷିଆର ସାମରିକ ଅପରେଶନ ସମୟରେ ଅଧିକାରୀମାନେ ମେଟାଙ୍କୁ ରୁସୋଫୋବିୟା ବୋଲି ଅଭିହିତ କରିଥିଲେ।

ରୁଷିଆ ଦ୍ୱାରା ୟୁକ୍ରେନର ପାୱାର ଷ୍ଟେଶନ ଉପରେ ନୂଆ ଆକ୍ରମଣ ଆରମ୍ଭ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। କ୍ରିମିୟା ବ୍ରିଜ ବିସ୍ଫୋରଣ ହେବା ପରେ ରୁଷିଆ ୟୁକ୍ରେନ ଉପରେ ଦେଶବ୍ୟାପୀ ବ୍ୟାପକ ବୋମାମାଡ଼ ଆରମ୍ଭ କରିଛି।

ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ପରେ ରୁଷିଆ ଉପରେ କଟକଣା ଲାଗୁ ହୋଇଥିଲା। ଆମେରିକା ରୁଷିଆ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲା। ଏହାର ଜବାବରେ ମେ ମାସରେ ରୁଷିଆ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ରୁଷିଆରେ ପ୍ରବେଶ କରିବାକୁ ବାରଣ କରିଥିଲା। ମାର୍କ ଜୁକରବର୍ଗ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ୟୁକ୍ରେନ ସହିତ ଯୁଦ୍ଧ ପରଠାରୁ ଫେସବୁକରେ ଲୋକଙ୍କ କଠୋର ପ୍ରତିକ୍ରିୟା ପାଇଁ ରୁଷିଆ ସୋସିଆଲ ମିଡିଆ କମ୍ପାନୀକୁ ଦାୟୀ କରିଛି। ଦେଶରେ ଫେସବୁକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ଆତଙ୍କବାଦୀ ତଥା ଉଗ୍ରବାଦୀ ସଂଗଠନ ତାଲିକାରେ ରଖି ରୁଷିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share