ଭୁଲ୍‌ରେ ନିଜ ସୈନିକଙ୍କ ଉପରେ ଆକ୍ରମଣ କଲା ରୁଷିଆ: ୟୁକ୍ରେନ କହିଲା, ଧନ୍ୟବାଦ୍‌

କ୍ୱିଭ୍‌,୧୧।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଢେଇ ମାସରୁ ଅଧିକ ସମୟ ବିତିଗଲାଣି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ବୁଧବାର ୟୁକ୍ରେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୁଷିଆ ସେନା ହଠାତ୍‌ ନିଜର ସୈନିକମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥିବା ୟୁକ୍ରେନ ଦାବି କରିଛି। ୟୁକ୍ରେନ ସାମରିକ ଅଧିକାରୀ ଏହି ଘଟଣାକୁ ନେଇ ରୁଷିଆକୁ ଧନ୍ୟବାଦ ଦେଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନଙ୍କ ସେନାକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ସୈନ୍ୟବାହିନୀ ଭୁଲ୍‌ରେ ନିଆଁ ଲଗାଇ ନିଜ ସୈନମାନଙ୍କୁ ମାରିଦେଇଛନ୍ତି। ଜାପୋରିଜିଆ ପ୍ରଦେଶରେ ୟୁକ୍ରେନ ସୈନ୍ୟମାନେ ଥିବା ଭାବି ରୁଷିଆ ସୈନ୍ୟବାହିନୀ ନିଆଁ ଲଗାଇ ଆକ୍ରମଣ କରିଥିଲା, କିନ୍ତୁ ଘଟଣାସ୍ଥଳରେ ରୁଷିଆ ସୈନ୍ୟ ହିଁ ଥିଲେ।
ୟୁକ୍ରେନର ସାମରିକ ଅଧିକାରୀମାନେ ଏହି ଘଟଣାରେ ରୁଷିଆ ସୈନ୍ୟବାହିନୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ରୁଷିଆ ସେନା ଆମକୁ ସାହାଯ୍ୟ କରିଛନ୍ତି। ତେବେ ରୁଷିଆ ସେନା ଦ୍ୱାରା ହୋଇଥିବା ଏହା ଆକ୍ରମଣରେ ତାର କେତେ ସୈନିକ ନିହତ ହୋଇଛନ୍ତି ତାହା ଜଣା ପଡିନାହିଁ।

Share