କିଭ୍,୧୪।୧: ୟୁକ୍ରେନ୍ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ ରୁଷିଆ ଓ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିରହିଥିଲା। ଡୋନେସ୍କ ପ୍ରଦେଶର ସୋଲେଦାର ସହରକୁ ରୁଷିଆ ଅକ୍ତିଆର କରିବା ନେଇ ୟୁକ୍ରେନ୍ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏକାଧିକ ଯୁଦ୍ଧକ୍ଷେତ୍ରରେ ବିଫଳ ହେବା ପରେ ଉପରୋକ୍ତ ସହର ଦଖଲ କରିବା କ୍ରେମ୍ଲିନ୍ ପାଇଁ ଏକ ବିରଳ ବିଜୟ ସୂଚନା ବୋଲି କୁହାଯାଉଛି। ଆରମ୍ଭରୁ ରୁଷିଆ ଡୋନେକ୍ସ ଏବଂ ଲୁହାନ୍ସ୍କକୁ ଟାର୍ଗେଟ କରିଥିଲା ଏବଂ ଏହାକୁ ରୁଷିଆର ଅଞ୍ଚଳ ବୋଲି ଦାବି କରିଆସୁଥିଲା। ଗୁରୁବାର ସନ୍ଧ୍ୟାରେ ସୋଲେଦାର ସହର ସ୍ବାଧୀନ ହୋଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଲ୍ୟୁଟ୍ନାଣ୍ଟ ଜେନେରାଲ ଇଗୋର କୋନାଶେଙ୍କୋଭ୍ କହିଛନ୍ତି। ଡୋନେସ୍କ ଅଞ୍ଚଳରେ ଆକ୍ରମଣ ଜାରି ରଖିବା ଲାଗି ଏହା ଜରୁରୀ ଥିଲା ବୋଲି ସେ ମତ ଦେଇଛନ୍ତି।
ସୋଲେଦାର ରୁଷିଆ ନିୟନ୍ତ୍ରଣକୁ ଆସିଯାଇଥିବାରୁ ଏଣିକି ଏହାର ସୈନ୍ୟମାନେ ଡୋନେକ୍ସ ସହରର ବଖମୁଟରେ ଥିବା ୟୁକ୍ରେନୀୟ ସୈନ୍ୟଙ୍କ ଯୋଗାଣ ଲାଇନ କାଟିପାରିବେ ଏବଂ ସେଠାରେ ୟୁକ୍ରେନ୍ ୟୁନିଟ୍କୁ ଚାରିପଟୁ ଘେରିପାରିବେ ବୋଲି କୋନାଶେଙ୍କୋଭ୍ କହିଛନ୍ତି।