ଭାରତକୁ ପ୍ରଶଂସା କଲା ରୁଷିଆ

ନୂଆଦିଲ୍ଲୀ/ମସ୍କୋ,୧୦ା୯: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜି -୨୦ର ଅଧ୍ୟକ୍ଷତା କରିବା ଭାରତର ଦାୟିତ୍ୱ ଅଟେ। ନଭେମ୍ବର ଶେଷରେ ଜି -୨୦ ଏକ ଭର୍ଚୁଆଲ ଅଧିବେଶନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ବି ଦେଇଛନ୍ତି। ସମସ୍ତ ସଦସ୍ୟ ଦେଶ ଏହି ଭର୍ଚୁଆଲ ଅଧିବେଶନରେ ଯୋଗଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହାପୂର୍ବରୁ ଆଜି ଜି -୨୦ ସଦସ୍ୟ ଦେଶର ନେତା ତଥା ପ୍ରତିନିଧିଙ୍କ ମୁଖ୍ୟମାନେ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ଭାଗ ନେଇଥିଲେ।

ତେବେ ଏହି ସମ୍ମଳିନୀରେ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ କହିଛନ୍ତି, ନୂଆଦିଲ୍ଲୀ ଜି -୨୦ ଶିଖର ସମ୍ମିଳନୀ ଏକ ସଫଳ କାର୍ଯ୍ୟକ୍ରମ। କାରଣ ଏହା ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଗକୁ ବଢ଼ିବାର ମାର୍ଗ ପ୍ରଦାନ କରିଛି। ଜି -୨୦ର ଅଧ୍ୟକ୍ଷ ଭାବରେ ଭାରତ ପ୍ରଥମଥର ପାଇଁ ‘ଗ୍ଲୋବାଲ ସାଉଥ’ର ସ୍ଥିତିକୁ ମଜବୁତ କରିଛି।  ଭାରତର ଅଧ୍ୟକ୍ଷତାରେ ଜି -୨୦ ଶିଖର ସମ୍ମିଳନୀ ବିଶ୍ୱ ଅର୍ଥବ୍ୟବସ୍ଥାରେ ବିଶ୍ୱ ଶାସନ ଏବଂ ନିରପେକ୍ଷତା ପାଇଁ ଦିଗ ପ୍ରଦାନ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱ ଶୃଙ୍ଖଳା ବଦଳୁଛି, ପାଶ୍ଚାତ୍ୟ ଦେଶର ଆଧିପତ୍ୟ ଏଥର ଶେଷ ହେବ।

Share