Advertisement

ପ୍ରଥମ ବ୍ୟାଚ୍‌ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା

ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଙ୍ଗଳବାର ଘୋଷଣା କରିଥିଲେ ଯେ, ରୁଷିଆ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛି, ଯାହା ସମସ୍ତ ଅନୁସନ୍ଧାନ ଦେଇ ତିଆରି ହୋଇଛି।

ତେବେ ଆମେରିକା ସମେତ ଅନେକ ଦେଶ ରୁଷିଆର ଟିକା ସ୍ପୁଟନିକ୍‌ ଭି ଉପରେ ପ୍ରଶ୍ନ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ରୁଷିଆର କରୋନା ଟିକାକୁ ଅନୁମୋଦନ କରିନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ରୁଷିଆର ଟିକାକୁ ଭଲ ଭାବେ ଯାଞ୍ଚ କରିବାକୁ ପଡ଼ିବ।

କିନ୍ତୁ ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହୁଛି, ଗମାଲାୟା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ପ୍ରଥମ ବ୍ୟାଚ୍‌ ଟିକା ପ୍ରସ୍ତୁତି ଶେଷ ହୋଇଛି। ରୁଷିଆ ପୂର୍ବରୁ କହିଥିଲା ଯେ ବ୍ୟବସାୟିକ ଉଦ୍ଦେଶ୍ୟରେ କରୋନା ଟିକା ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବ। ଡିସେମ୍ବର କିମ୍ବା ଜାନୁୟାରୀରୁ ରୁଷିଆ ପ୍ରତି ମାସରେ ୫ ନିୟୁତ ଟିକା ପ୍ରସ୍ତୁତ କରିବ।

ପ୍ରାରମ୍ଭରେ, ରୁଷିଆର ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟିକା ସପ୍ଲିମେଣ୍ଟ ଦିଆଯିବ, ତା’ପରେ ସ୍ବେଚ୍ଛାସେବୀ ଲୋକଙ୍କୁ ଏହି ଟିକା ଦିଆଯିବ। ରୁଷିଆ ଏହା ମଧ୍ୟ କହିଛି ଯେ, ଭାରତ ସମେତ ବିଶ୍ୱର ପ୍ରାୟ ୨୦ଟି ଦେଶ ସ୍ପୁଟନିକ ଭି ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୧୬ ମିଲିୟନରୁ ଅଧିକ ହୋଇଛି। ମୋଟ ସଂକ୍ରମଣ ଦୃଷ୍ଟିରୁ ରୁଷିଆ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ପ୍ରାୟ ୯.୧୭ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share