ଆତ୍ମସମର୍ପଣ କଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ

ମସ୍କୋ,୨୫।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ରୁଷିଆ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇ ଚାଲିଛି। ଏପର୍ଯ୍ୟନ୍ତ ଅନେକ ସୈନ୍ୟ ଓ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏହି ବିଧ୍ୱଂସ ପରେ ବର୍ତ୍ତମାନ ରୁଷିଆ ପୁଣିଥରେ ଆଲୋଚନା ପାଇଁ ଆଗକୁ ଆସିଛି। ଯଦି ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରନ୍ତି ତେବେ ରୁଷିଆ ପୁନର୍ବାର ଆଲୋଚନା ପ୍ରସ୍ତୁତ। ଶୁକ୍ରବାର ମସ୍କୋରେ ଆୟୋଜିତ ହୋଇଥିବା ଏକ ପ୍ରେସ୍‌ କନ୍‌ଫରେନ୍ସରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ ସ୍ପଷ୍ଟ କରିଛନ୍ତି ଯେ, ଯଦି ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରନ୍ତି ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନା ମୁତାବକ ଗତକାଲି ୟୁକ୍ରେନ ବିରୋଧରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ରୁଷିଆ ପକ୍ଷରୁ ଶୁକ୍ରବାର ଏକ ବଡ଼ ପ୍ରସ୍ତାବ ଦିଆଯାଇଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୟୁକ୍ରେନ ଶୀଘ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଶେଷ ସମାଧାନ ବୋଲି ବିଶେଷଜ୍ଞ କହିଛନ୍ତି। ସୂଚନା ମୁତାବକ ପ୍ରଥମରୁ ୟୁକ୍ରେନକୁ ନୁଆଁଇବା ଓ ପରେ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ଏହା ହେଉଛି ରୁଷିଆର ରଣନୀତି। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ପକ୍ଷରୁ ରୁଷିଆର ଏହି ପ୍ରସ୍ତାବ ଉପରେ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Share