ମସ୍କୋ,୧।୪: ଗତ ବର୍ଷ ଅଗଷ୍ଟରେ ରୁଷିଆ ବିଶ୍ୱରେ ପ୍ରଥମ କରୋନା ଟିକା ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ପୁଣି ଥରେ ପ୍ରଥମ ଦେଶଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିଛି ରୁଷିଆ। ରୁଷିଆରେ କୃଷି ସଂଗଠନ ରୋସେଲଖୋଜନାଡଜୋରର ପରାମର୍ଶଦାତା ୟୁଲିଆ ମେଲାନୋ କହିଛନ୍ତି ଯେ, ଏହି ଟିକା ପୂର୍ବରୁ ଉପଲବ୍ଧ, ଏହାକୁ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରେ। ଜୀବଜନ୍ତୁଙ୍କ ପାଇଁ ଏହି ଟିକାର ନାମ କାର୍ନିଭାକ୍-କୋଭ ରଖାଯାଇଛି। ଯାହାର ବିକାଶ ରୋସେଲଖୋଜନାଡଜୋରର ୟୁନିଟ ପକ୍ଷରୁ କରାଯାଇଛି। ଏହି ଟିକା ବିଲେଇ, କୁକୁର ଏବଂ ଠେକୁଆଠାରେ ପରୀକ୍ଷଣ କରାଯାଇଛି। ଟିକା ନେବାପରେ ସମ୍ପୃକ୍ତ ଜୀବଜନ୍ତୁଙ୍କଠାରେ ରୋଗ ପ୍ରତିରୋଧକ ସୃଷ୍ଟି ହୋଇଥିବା ଗବେଷକମାନେ ମତ ଦେଇଛନ୍ତି। ଗତ ଅକ୍ଟୋବର ମାସରୁ ଏହି ଟିକା ଉପରେ ପରୀକ୍ଷଣ ଆରମ୍ଭ ହୋଇଥିବା ଜଣାପଡିଛି।