ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍ପୋର୍ଟ ବାଇକୋନୁରରେ ଥିବା ବିରାଟ ରକେଟରେ ଭାରତୀୟ ପତାକା ଚିତ୍ରକୁ ସ୍ଥାନ ଦିଆଯାଇଛି। ରସ୍କୋମସ ଏହି ପଦକ୍ଷେପ ଦର୍ଶାଉଛି ରୁଷିଆ ସହ ଭାରତର ସମ୍ପର୍କ କେତେ ମଜଭୁତ।
ୟୁକ୍ରେନ ଉପରେ ଆକ୍ରମଣ ପରେ ନାଟୋ ସଦସ୍ୟ ତଥା ଆମେରିକାର ସହଯୋଗୀ ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ଜାପାନ ଆଦି ଦେଶ ରୁଷ ଉପରେ କଠୋର କଟକଣା ଲଗାଇଛନ୍ତି। ଏଥିଯୋଗୁ ବାଇକୋନୁର ଥିବା ଲଞ୍ଚର୍ସରୁ କିଛି ଦେଶର ପତାକା ହଟାଇ ଦିଆଯାଇଥିଲା। ସେମାନଙ୍କ ପତାକା ବିନା ଆମ ରକେଟ ଆହୁରି ସୁନ୍ଦର ଦେଖାଯିବ ବୋଲି ରସ୍କୋମସ ନିର୍ଦ୍ଦେଶକ ଜେନେରାଲ ଡିମିଟ୍ରି ଓଲେଗୋଭିଚ୍ ରୋଗୋଜିନ ଟୁଇଟ୍ କରିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ରୁଷିଆ କର୍ମୀ ରକେଟରୁ କିଛି ଦେଶର ପତାକା ଲିଭାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ସେମାନେ ଭାରତୀୟ ପତାକାକୁ ଛୁଇଁ ନ ଥିଲେ।