ୟୁକ୍ରେନ୍‌ର ୧୫୮ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨ା୯: ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍‌ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍‌କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍‌ ଖସାଇଦେଇଛି। ସେହିପରି ବ୍ରିଆନ୍ସରେ ୩୪ ଏବଂ ଭୋରୋନେଝ ଅଞ୍ଚଳରେ ୨୮ଟି ଡ୍ରୋନ୍‌କୁ ଖସାଯାଇଥିବାବେଳେ ବେଲଗୋରୋଡ ଅଞ୍ଚଳରେ ୧୪ ଡ୍ରୋନ୍‌ ଅକାମୀ ହୋଇଛି। ଧ୍ୱଂସ ପାଇଥିବା ଡ୍ରୋନ୍‌ର ଭଗ୍ନାବଶେଷ ଖସି ଏକ ତୈଳ ବିଶୋଧନାଗାରରେ ପଡ଼ିବାରୁ ନିଆଁ ଲାଗିଯାଇଥିଲା। ଚଳିତ ବର୍ଷ ଆରମ୍ଭରୁ ୟୁକ୍ରେନ୍‌ ସେନା ରୁଷିଆ ଭିତରେ ପଶି ଏହାର ରିଫାଇନାରି ଓ ତୈଳ ଟର୍ମିନାଲଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଅନ୍ୟପକ୍ଷରେ ୟୁକ୍ରେନର ଆକାଶ ମାର୍ଗରୁ ଆକ୍ରମଣ
ଫଳରେ ୯ ରୁଷୀୟ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଡୋନେସ୍କ ଅଞ୍ଚଳ ଅନ୍ତର୍ଗତ ପିଭ୍‌ନିଚେ ଏବଂ ଭିଲମ୍‌କା ସହରକୁ ରୁଷିଆ ପୁଣିଥରେ ନିୟନ୍ତ୍ରଣକୁ ନେଇଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share