ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ ୟୁକ୍ରେନକୁ ଅଧିକ ରକେଟ ସିଷ୍ଟମ, ଗୁଳି ଏବଂ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକା ଏବଂ ଏହାର ସହଯୋଗୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ୟୁକ୍ରେନକୁ ସାମରିକ ସହାୟତା ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ ବ୍ରିଟେନ କହିଛି ୧୬୦୦ଟି ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଯୋଗାଇବ। ଅପରପକ୍ଷରେ ରୁଷିଆ ଯୁଦ୍ଧକୁ ବ୍ୟାପକ କରିବାକୁ ସଙ୍କେତ ଦେଇଛି। ବ୍ରିଟେନ କହିଛି ଯେ ଖୁବ ଶୀଘ୍ର ୟୁକ୍ରେନ୍‌କୁ ଅଧିକ ମାରାତ୍ମକ ଅସ୍ତ୍ର ଯୋଗାଇବାକୁ ଯାଉଛି।

ପ୍ରକୃତରେ,ରୁଷିଆ ଡୋନବାସର ପୂର୍ବ ଶିଳ୍ପାଞ୍ଚଳରୁ ଅଧିକ ୟୁକ୍ରେନ ଅଞ୍ଚଳକୁ ଦଖଲ କରିବାକୁ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ୟୁରୋପୀୟ କମିଶନ ଇୟୁ ସଦସ୍ୟମାନଙ୍କୁ ପ୍ରାକୃତିକ ଗ୍ୟାସର ଚାହିଦା ହ୍ରାସ କରିବାକୁ ନିବେଦନ କରିଛନ୍ତି।

ଅପରପକ୍ଷରେ, ବିଶ୍ୱର ପ୍ରାୟ ୫୦ ପ୍ରତିରକ୍ଷା ନେତାଙ୍କ ଡିଜିଟାଲ ବୈଠକ ଶେଷ ହେବା ପରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟର୍ଡ ଅଷ୍ଟିନ କହିଛନ୍ତି ଯେ ଯୁଦ୍ଧ ବନ୍ଦ କରିବା ପାଇଁ ସହଯୋଗୀ ତଥା ଅଂଶୀଦାରମାନଙ୍କୁ ପ୍ରତିଶ୍ରୁତିବଦ୍ଧ କରି ରଖିବା କଷ୍ଟକର ହେବ। ଡିଜିଟାଲ ବୈଠକର ଅଧିକାରୀମାନେ ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା କହିବାକୁ ମନା କରି ଦେଇଛନ୍ତି, କିନ୍ତୁ ଆମେରିକାର ସେନା ଜେନେରାଲ ମାର୍କ ମିଲି ଏହା ଅଧିକ ସମୟ ଜାରି ରହିପାରେ ବୋଲି ସୂଚାଇ ଦେଇଛନ୍ତି। ମିଲି କହିଛନ୍ତି ଯେ ଡୋନବାସରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ଉଭୟ ପକ୍ଷ ଶାନ୍ତ ନହେବା ପର୍ଯ୍ୟନ୍ତ ଏହାର ବନ୍ଦ ହେବାର କୌଣସି ଉପାୟ ନାହିଁ। ଆମେରିକା କହିଛି ଯେ ଏହା ୟୁକ୍ରେନକୁ ରକେଟ ସହିତ ଅତିରିକ୍ତ ଆର୍ଟିଲିରି ପଠାଇବାକୁ ଯାଉଛି।

Share