ସୁଇଡେନ୍‌, ଫିନ୍‌ଲାଣ୍ଡକୁ ରୁଷିଆ ବିପଦ

ମସ୍କୋ, ୧୫ା୪:ୟୁକ୍ରେନ୍‌ ପରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ପ୍ରତି ରୁଷିଆ ଆଡ଼ୁ ବିପଦ ଘନେଇଛି। ନାଟୋ ସାମରିକ ମେଣ୍ଟରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି କରିଥିବାବେଳେ ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍‌ ଡିମିଟ୍ରି ମେଡଭେଦେଭ୍‌ ଆଣବିକ ଯୁଦ୍ଧର ଧମକ ଦେଇଛନ୍ତି। ଆମେରିକା ନେତୃତ୍ୱାଧୀନ ନାଟୋରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ଯୋଗ ଦେଲେ ରୁଷିଆ ନିଜ ଅଞ୍ଚଳର ସୁରକ୍ଷା ବଢ଼ାଇବା ପାଇଁ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ସୀମାରେ ମୁତୟନ କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଫିନ୍‌ଲାଣ୍ଡ ସୀମା ନିକଟରେ କେତେକ ଯୁଦ୍ଧାସ୍ତ୍ର ମୁତୟନ ଆରମ୍ଭ କରିଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
ପ୍ରାୟ ୧୩ ଶହ କିଲୋମିଟର ସୀମା ରୁଷିଆ ବର୍ଡର ସହ ସଂଲଗ୍ନ। କିଛି ସପ୍ତାହରେ ଫିନ୍‌ଲାଣ୍ଡ ନାଟୋ ମେଣ୍ଟରେ ଯୋଗ ଦେବା ଉପରେ ନିଷ୍ପତ୍ତି ନେବ ବୋଲି ଏହାର ପ୍ରଧାନମନ୍ତ୍ରୀ ସନା ମାରିନ୍‌ ବୁଧବାର କହିଥିଲେ। ସେହିପରି ସୁଇଡେନ୍‌ ମଧ୍ୟ ନାଟୋରେ ସାମିଲ ହେବାକୁ ଯୋଜନା କରିଛି। ଏ ନେଇ ଡିମିଟ୍ରି ମେଡଭେଦେଭ୍‌ କହିଛନ୍ତି, ଯଦି ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ନାଟୋରେ ଯୋଗଦେବେ ତେବେ ରୁଷିଆ ବାଲ୍‌ଟିକ୍‌ ସାଗରରେ ଏହାର ସ୍ଥଳ, ନୌସେନା ଏବଂ ବାୟୁସେନାକୁ ମଜଭୁତ କରିବ। ଏହାପରେ ବାଲ୍‌ଟିକ୍‌ ଅଞ୍ଚଳକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ଦିଗରେ ଆଉ କୌଣସି ଆଲୋଚନା ହୋଇପାରିବ ନାହିଁ। ଏ ପର୍ଯ୍ୟନ୍ତ ରୁଷିଆ ଏପରି କୌଣସି ପଦକ୍ଷେପ ନେଇନାହିଁ। କିନ୍ତୁ ଆମକୁ ବାଧ୍ୟ କରାଗଲେ ଏଥିପାଇଁ ଆମକୁ ଆଉ ଦାୟୀ କରାଯାଇପାରିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ୧୯୪୯ରେ ଗଠିତ ହୋଇଥିବା ନାଟୋରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌ ସାମିଲ ହେଲେ ୟୁକ୍ରେନ୍‌ ସହ ରୁଷିଆ ଯୁଦ୍ଧରେ ପାଶ୍ଚାତ୍ୟ ଦେଶର ସୁରକ୍ଷାକୁ ନେଇ ୟୁରୋପୀୟ ରଣନୀତିକୁ ଏକ ବଡ଼ ସଫଳତା ମିଳିବ।
ରୁଷିଆଠାରୁ ଅଲଗା ହୋଇ ସ୍ବାଧୀନ ଦେଶରେ ପରିଣତ ହୋଇଥିବା ଫିନ୍‌ଲାଣ୍ଡ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମସ୍କୋ ସହ ୨ ଥର ଯୁଦ୍ଧକୁ ଓହ୍ଲାଇଥିଲା। ଏଥିରେ ଫିନ୍‌ଲାଣ୍ଡର କେତେକ ଅଞ୍ଚଳକୁ ରୁଷିଆ କବ୍‌ଜା କରିନେଇଥିଲା। ରୁଷିଆ ପଟୁ ପୁଣି ବିପଦ ବଢ଼ୁଥିବା ଦେଖି ଫିନ୍‌ଲାଣ୍ଡ ଏବେ ବ୍ରିଟେନ୍‌, ଆମେରିକା, ଲାଟଭିଆ, ଇଷ୍ଟୋନିଆ ଆଦି ଦେଶ ସହ ସାମରିକ ଅଭ୍ୟାସ ଜାରି ରଖିଛି। ସେହିପରି ୨୦୦ ବର୍ଷ ହେଲା କୌଣସି ପ୍ରତ୍ୟକ୍ଷ ଯୁଦ୍ଧରେ ସୁଇଡେନ୍‌ ସାମିଲ ହୋଇ ନ ଥିବାବେଳେ ଯୁଦ୍ଧ ପରବର୍ତ୍ତୀ ବୈଦେଶିକ ନୀତିରେ ଏହି ଦେଶ ଅନ୍ତର୍ଜାତୀୟ ସ୍ତରରେ ଗଣତନ୍ତ୍ରକୁ ସମର୍ଥନ, ବହୁପକ୍ଷୀୟ କଥାବାର୍ତ୍ତା ଏବଂ ଆଣବିକ ନିରସ୍ତ୍ରୀକରଣ ଉପରେ ଧ୍ୟାନ ଦେଇଛି।

Share