ପାଇପ୍‌ଲାଇନ୍‌ କାଟିବାକୁ ଧମକ ଦେଲା ରୁଷିଆ

ମସ୍କୋ,୮।୩: ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷିଆ ଉପରେ ୟୁରୋପ ବିଭିନ୍ନ ବାସନ୍ଦ ଲଗାଇଛି। ଏହାର ଜବାବରେ ୟୁରୋପକୁ ନ୍ୟାଚୁରାଲ ଗ୍ୟାସ ଯୋଗାଉଥିବା ନର୍ଡ ଷ୍ଟ୍ରିମ୍‌ ୧ ପାଇପ୍‌ ଲାଇନ୍‌କୁ କାଟି ଦେବାକୁ ଧମକ ଦେଇଛି ରୁଷିଆ। ଯଦି ରୁଷିଆ ଏଭଳି କରେ ଶକ୍ତି ଯୋଗାଣ ବଜାରରେ ବଡ଼ ଧରଣର ଅଭାବ ଦେଖାଦେବ, ଯାହାକି ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ବାଧିବ।

‘ଦେଶର ଅର୍ଥନୀତିକୁ ବାଧା ଦେବା ପାଇଁ ଲଗାଯାଇଥିବା ପ୍ରତିବନ୍ଧକ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରୁଷିଆର ରହିଛି’ ବୋଲି ସୋମବାର ରାତିରେ ଟିଭିରେ ପ୍ରକାଶିତ ଏକ ବାର୍ତ୍ତାରେ କହିଛନ୍ତି ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର ନୋଭାକ। ସେ ଦେଶର ଶକ୍ତି ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି। ନର୍ଡ ଷ୍ଟ୍ରିମ୍‌ ୧ ପାଇପଲାଇନ୍‌କୁ ବନ୍ଦ କରିବାକୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ପାଇପଲାଇନ୍‌ ଏବେ ସମ୍ପୂର୍ଣ୍ଣ ଦକ୍ଷତା ସହ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।

Share