Categories: ଜାତୀୟ

ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଅଭିଯାନ: ସମସ୍ତ ଖର୍ଚ୍ଚ ବହନ କରିବେ ମୋଦି ସରକାର

ନୂଆଦିଲ୍ଲୀ,୨୫।୨: ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଇତିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସ୍‌ନ ଆରମ୍ଭ ହୋଇଛି। ପଡୋଶୀ ଦେଶରେ ସ୍ଥଳଭାଗରେ ଭାରତୀୟ ନାଗରିକ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶକୁ ଅଣାଯିବ। ତେବେ ଭାରତୀୟଙ୍କୁ ଫେରାଇ ଆଣିବାରେ ବିମାନର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ୟୁକ୍ରେନରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବର୍ହିବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ସୂଚନା ଦେଇଥିଲେ। ୟୁକ୍ରେନରୁ ପୋଲାଣ୍ଡକୁ ସଡ଼କର ମାର୍ଗ ଦେଇ ଯିବାକୁ ଚାହିଁଲେ ୯ଘଣ୍ଟା ସମୟ ଲାଗିବ ଏବଂ ଭିଏନାକୁ ୧୨ ଘଣ୍ଟା ଲାଗିବ ବୋଲି ସେ କହିଛନ୍ତି। ୟୁକ୍ରେନ ନିକଟବର୍ତ୍ତୀ ୪ଟି ଦେଶରୁ ଭାରତୀୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବ। ଏହି ଦେଶଗୁଡ଼ିକ ହେଉଛି ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ରିପବ୍ଲିକ ଏବଂ ପୋଲାଣ୍ଡ। ଏହି ଦେଶ ସୀମାରେ ଭାରତୀୟ ଦୂତାବାସ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି ଶିବିରରେ ଭାରତୀୟ ଛାତ୍ରମାନଙ୍କ ସହ ଯୋଗାଯୋଗ କରୁଥିବା ଅଧିକାରୀଙ୍କ ନାମ ଓ ନମ୍ବର ମଧ୍ୟ ଦିଆଯାଇଛି। ଯେତେବେଳେ ଭାରତୀୟ ଛାତ୍ରମାନେ ସଡ଼କ ପଥ ଦେଇ ଏହି ଦେଶରେ ପହଞ୍ଚିବେ ସେତେବେଳେ ସେମାନଙ୍କୁ କତାର ରାସ୍ତା ଦେଇ ଭାରତକୁ ଅଣାଯିବ। ଏଥିପାଇଁ ଦୋହା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

Share