୩ଘଣ୍ଟା ଧରି ଶାନ୍ତି ଆଲୋଚନା କଲେ ରୁଷିଆ-ୟୁକ୍ରେନ

ମିନସ୍କ,୨୮।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ବୈଠକ ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା। ରୁଷିଆ ତୁରନ୍ତ ଅସ୍ତ୍ରବିରତି ରୋକିବା ସହ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ରୁ ପ୍ରତ୍ୟାହାର କରିବା ଲାଗି ଏହି ଶାନ୍ତି ଆଲୋଚନାରେ କ୍ୱିଭ୍‌ ପକ୍ଷରୁ ଦାବି କରାଯାଇଥିଲା। ଏଥିସହ କ୍ରିମିଆ ଓ ଡୋନବାସରୁ ମଧ୍ୟ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ପାଇଁ ୟୁକ୍ରେନ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଦାବି କରିଛି। ତେବେ ପ୍ରଥମ ଦିନର ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ନ ଥିବା ବେଳେ ଏହି ଯୁଦ୍ଧକୁ ଅଟକାଇଯାଇପାରିନାହିଁ। ଏହି ବୈଠକରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌, ଡେପୁଟି ବହିର୍ବ୍ୟାପାର ମନ୍ତ୍ରୀ ମିକୋଲା ତୋଚ୍ୟତ୍‌ସ୍କି, ରୁଷିଆ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଆଲେକ୍‌ଜାଣ୍ଡର ଫୋମିନ୍‌ ଏବଂ ବେଲାରୁଷରେ ଥିବା ରୁଷିଆ ରାଷ୍ଟ୍ରଦୂତ ବୋରିସ୍‌ ଗ୍ରିଜ୍‌ଲୋଭ୍‌ ଯୋଗ ଦେଇଥିଲେ। ବେଲାରୁଷ ବହିର୍ବ୍ୟାପାର ମନ୍ତ୍ରୀ ଭ୍ଲାଡିମିର ମକେଇ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ। ବୈଠକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷିଆ ଆଗରେ ଆତ୍ମସମର୍ପଣ କରିବେ ନାହିଁ ରାଷ୍ଟ୍ର ଉଦ୍ଦେଶ୍ୟରେ କହିଥିଲେ। ଏଥିସହ ସକାଳେ କ୍ୱିଭ୍‌ରେ ଲାଗୁ କରାଯାଇଥିବା କର୍ଫ୍ୟୁ ଉଠାଯାଇ ସେଠାରେ ଥିବା ଲୋକଙ୍କୁ ତୁରନ୍ତ ରାଜଧାନୀ ଛାଡ଼ିବାକୁ କୁହାଯାଇଥିଲା। ଅନ୍ୟପକ୍ଷରେଳ ରୁଷିଆ ପରେ ବେଲାରୁଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବାକୁ ୟୁରୋପୀୟ ୟୁନିଅନ (ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆକୁ ନିରନ୍ତର ସମର୍ଥନ କରିଆସୁଥିବା ବେଲାରୁଷ ରୁଷିଆ ସୈନ୍ୟ ସହ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ ନିଜ ସୈନ୍ୟଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଘୋଷଣା କରିଛି।

Share